ରିଷିଡ଼ା,୧୯।୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମରାପୁର ଥାନା ଅନ୍ତର୍ଗତ ରିଷିଡ଼ା ଫାଣ୍ଡି ଅଞ୍ଚଳରେ ବାଇକ୍ ଚୋରି ବୃଦ୍ଧି ପାଉଥିବା ବେଳେ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ପୋଲିସ ଏକ ବାଇକ୍ ଚୋରି ରାକେଟର ମୁଖ୍ୟ ଅଭିଯୁକ୍ତ ସମେତ ମୋଟ ୬ ଜଣଙ୍କୁ ଗିରଫ କରିବା ସହ ୯ ଟି ଚୋରି ବାଇକ୍ ଉଦ୍ଧାର କରିଛି।
ଗତ ସୋମବାର ଝାରମୁଣ୍ଡା ଗ୍ରାମର ପଦ୍ମମୁଖ ସାହୁଙ୍କ ବାଇକ୍ (OR ୦୮ G ୯୩୭୨) ଚୋରି କରୁଥିବା ବେଳେ ଗ୍ରାମବାସୀ ମୁଖ୍ୟ ଅଭିଯୁକ୍ତକୁ ଧରି ରିଷିଡ଼ା ଫାଣ୍ଡିରେ ଜିମା ଦେଇଥିଲେ।
ରିଷିଡ଼ା ଫାଣ୍ଡି ଅଧିକାରୀ ମନୁଆ ବିଡିକା ବଲାଙ୍ଗୀର ଜିଲା ତୁଷରା ଥାନା ତେନ୍ତୁଳିଖୁଣ୍ଟି ଗ୍ରାମର ମୁଖ୍ୟ ଅଭିଯୁକ୍ତ ରୋହିତ ମହାନନ୍ଦ ଓରଫ ମୁକେଶ ଓରଫ ଲାଲୁକୁ ଗିରଫ କରିଥିଲେ।
କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଏନ୍. ଦେବରକୋଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ କେସିଙ୍ଗା ଏସଡିପିଓ ସନ୍ଦୀପ କୁମାର ମାଝୀଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ପୋଲିସ ରୋହିତର ସୂଚନାକ୍ରମେ ବଲାଙ୍ଗୀର ଓ ବୌଦ୍ଧ ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନ୍ୟ ୫ ଜଣ ସହଯୋଗୀ—ଗୋକୁଳ ସାହୁ, ବାବୁଲା ରଣା, ବାଳଗୋପାଲ ରଣା, ଟିକେଚନ୍ଦ ରଣା ଓ ଦୟାସାଗର ବିଶିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।
ଉଦ୍ଧାର କାର୍ଯ୍ୟ: ଗିରଫ ଅଭିଯୁକ୍ତମାନଙ୍କ ସୂଚନା ଆଧାରରେ ପୁଲିସ ମୋଟ ୯ ଟି ଚୋରି ବାଇକ୍ ଜବତ କରିଛି।
ଆଇନଗତ କାର୍ଯ୍ୟାନୁଷ୍ଠାନ: ଏନେଇ ମ. ରାମପୁର ଥାନାରେ କେସ୍ ନଂ ୨୯୫ରେ ମକଦ୍ଦମା ରୁଜୁ କରାଯାଇଛି ଏବଂ ଆଜି (ନଭେମ୍ବର ୧୯) ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
କେସିଙ୍ଗା ଏସଡିପିଓ ସନ୍ଦୀପ କୁମାର ମାଝୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସମ୍ପର୍କରେ ସୂଚନା ଦେଇଥିଲେ।