କ୍ଲିନ ଦାରିଙ୍ଗବାଡି, ଗ୍ରୀନ ଦାରିଙ୍ଗବାଡି ପାଇଁ ବିଡ଼ିଓଙ୍କ ବଡ଼ ପଦକ୍ଷେପ, ପ୍ରଥମଥର ପାଇଁ…

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକକୁ ଅନେକ ଥର ବିଜ୍ଞାପିତ ପରିଷଦ ଅଞ୍ଚଳ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଦାରିଙ୍ଗବାଡିର ବିକାଶ ପାଇଁ ବିଜ୍ଞାପିତ ପରିଷଦ ଅଞ୍ଚଳ ହେବା ଜରୁରୀ ବୋଲି ଅଞ୍ଚଳବାସୀ କହୁଥିବା ବେଳେ କିନ୍ତୁ ସେମାନଙ୍କ ଦାବି ପୂରଣ ହୋଇନି। ତେବେ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ବିଜ୍ଞାପିତ ପରିଷଦ ଅଞ୍ଚଳ ଢାଞ୍ଚାରେ ପ୍ରଥମଥର ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ସେ ଦାରିଙ୍ଗବାଡି ସହର ସମେତ ପର୍ଯ୍ୟଟନକ୍ଷେତ୍ର ସମସ୍ତ ସାହିକୁ ସଫେଇ କରିବା ପାଇଁ ସଫେଇ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଦାରିଙ୍ଗବାଡି ପଞ୍ଚାୟତରେ ମୋଟ ୨୨ ଟି ୱାର୍ଡ ରହିଥିବା ବେଳେ ଏହାକୁ କ୍ଲିନ ଦାରିଙ୍ଗବାଡି ଗ୍ରୀନ ଦାରିଙ୍ଗବାଡି କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ବିଡ଼ିଓ ପ୍ରୀତିରଞ୍ଜନ ରଥ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସ୍ବାଧୀନତା ପୂର୍ବରୁ ଏହାର ଶୁଭାରମ୍ଭ କରାଯାଇଥିବା ସେ କହିଛନ୍ତି। ମୋଟ ୧୨ ଜଣ ସଫେଇ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟ। ଆଗକୁ ବ୍ୟାଟେରୀ ଚାଳିତ ଯାନ ଅଳିଆ ବାହାର କରିବାକୁ ନିୟୋଜିତ କରାଯିବ ଏବଂ ଡମ୍ପିୟାର୍ଡ଼ ନିର୍ମାଣ କରାଯାଇ ସେଠାରେ ଅଳିଆ ପକାଯିବାକୁ ପ୍ରଶାସନ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡିଛି। ବିଡ଼ିଓ ରଥଙ୍କ ସମେତ ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋଶନ କୁମାର ରଥ, କନିଷ୍ଠ ଯନ୍ତ୍ରୀ ଧିରେନ ସେଠି,ଦାରିଙ୍ଗବାଡି ସରପଞ୍ଚ ଚନ୍ଦ୍ରିକା ମଲିକ, ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି। ସ୍ଥାନୀୟ ପ୍ରଶାସନର ଏଭଳି ପଦକ୍ଷେପକୁ ଅଞ୍ଚଳବାସୀ ସାଧୁବାଦ ଜଣାଇବା ସହ ଏହି କାର୍ଯ୍ୟକୁ ନିୟମିତ କରିବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।