Categories: Home Leftଖେଳ

ଆଇପିଏଲ୍‌ ପୂର୍ବରୁ କେକେଆରକୁ ବଡ଼ ଝଟ୍‌କା

କୋଲକାତା, ୨୧ା୩: ଭାରତ ସିମର ଆକାଶ ଦୀପ୍‌ଙ୍କ ପିଠିର ନିମ୍ନ ଭାଗରେ ଆଘାତ ଲାଗିଛି। ଫଳରେ ସେ ଅତି କମ୍‌ରେ ୮ ସପ୍ତାହ ଖେଳିପାରିବେନି। ଫଳରେ ଆସନ୍ତା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସେ ଖେଳିବା ନେଇ ଏକ ପ୍ରକାର ଅନିଶ୍ଚିତତା ଦେଖାଦେଇଛି।

ଏହାର କୋଲକାତା ନାଇଟ୍‌ ରାଇଡର୍ସ(କେକେଆର) ପେସ୍‌ ବାହିନୀକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ଏହି ଡାହାଣହାତୀ ପେସ୍‌ ବୋଲର ଜୁନ୍‌ ପ୍ରାରମ୍ଭରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଏକମାତ୍ର ଟେଷ୍ଟ ମ୍ୟାଚ ପାଇଁ ଉପଲବ୍ଧ ହେବେକି ନାହିଁ ତାକୁ ନେଇ ସନ୍ଦେହ ଦେଖା ଦେଇଛି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ସୂତ୍ରରୁ ଜଣାଯାଇଛି।

୨୯ ବର୍ଷୀୟ ଏହି ବେଙ୍ଗଲ ପେସ୍‌ ବୋଲର ଗତଥର ଜମ୍ମୁ କଶ୍ମୀର ରଣଜୀ ଟ୍ରଫି ସେମିଫାଇନାଲ ଖେଳିଥିଲେ। ସେତେବେଳେ ସେ ସମ୍ପୂର୍ଣ୍ଣ ଫିଟ୍‌ଥିବା ଭଳି ମନେ ହେଉ ନ ଥିଲେ। ପ୍ରଥମ ଇନିଂସରେ ସେ ୧୩ ଓଭର ଓଭର ଏବଂ ଦ୍ୱିତୀୟ ଇନିଂସରେ ୭ ଓଭରରୁ କମ୍‌ ବୋଲିଂ କରିଥିଲେ। ଏହାପରଠାରୁ ସେ ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର ଅଫ୍‌ ଏକ୍ସଲେନ୍ସଠାରେ ରିହାବିଲେଟେଶନରେ ଅଛନ୍ତି।

ବୁଧବାର କେକେଆରର ପ୍ରସ୍ତୁତି କ୍ୟାମ୍ପ ଆରମ୍ଭ ହୋଇଛି। ଆକାଶ ଦୀପ୍‌ ଏଥିରେ ଯୋଗ ଦେଇ ନ ଥିଲେ। ଡାହାଣ ଆଣ୍ଠୁରେ ଲିଗାମେଣ୍ଟ ଇଞ୍ଜୁରୀ ପାଇଁ ହର୍ଷିତ ରାଣା ଏବଂ ୧୮କୋଟି ଟଙ୍କାରେ କ୍ରୟ ହୋଇଥିବା ଶ୍ରୀଲଙ୍କାର ମାଥିଶା ପଥିରାଣା ଗ୍ରୋଇନ୍‌ ଇଞ୍ଜୁରୀ ପାଇଁ ପୂର୍ବରୁ ଟୁର୍ନାମେଣ୍ଟରୁ ବାହାର ହୋଇ ସାରିଛନ୍ତି। ଫଳରେ ଦଳରେ ପେସ ବୋଲରଙ୍କ ଅଭାବ ଦେଖା ଦେଇଛି।

ଆକାଶ ଦୀପ୍‌ ଓ ହର୍ଷିତଙ୍କ ଅନୁପସ୍ଥିତିରେ ସେମାନଙ୍କ ସ୍ଥାନ ଘରୋଇ ବିକଳ୍ପ ବୈଭବ ଆରୋରା, କାର୍ତ୍ତିକ ତ୍ୟାଗୀ ଏବଂ ପୁନର୍ବାର ଫିଟ୍‌ ହୋଇ ଫେରିଥିବା ଉମରାନ ମଲିକ୍‌ଙ୍କ ଉପରେ ନିର୍ଭରଶୀଳ ହେବ।

Share