ଇସଲାମାବାଦ୍,୧୬।୭: ପାକିସ୍ତାନର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ, ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଏବଂ ସେନା ମୁଖ୍ୟ ଜେନେରାଲ ଅସିମ ମୁନିରଙ୍କ ମଧ୍ୟରେ ଗୋଟିଏ ପରେ ଗୋଟିଏ ବୈଠକ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ସୋସିଆଲ ମିଡିଆ ଏବଂ କିଛି ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି, ରାଷ୍ଟ୍ରପତି ଜର୍ଦ୍ଦାରୀ ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି ଏବଂ ତାଙ୍କ ସ୍ଥାନରେ ଜେନେରାଲ ମୁନିରଙ୍କୁ ଅଣାଯାଇପାରେ। ତଥାପି ସରକାର ଏହି ରିପୋର୍ଟଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି।
ଜେନେରାଲ ଅସିମ ମୁନିର ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଘରେ ଭେଟିଥିଲେ। କିଛି ଘଣ୍ଟା ପରେ, ପ୍ରଧାନମନ୍ତ୍ରୀ ଶରିଫ ରାଷ୍ଟ୍ରପତି ଜର୍ଦ୍ଦାରୀଙ୍କୁ ଭେଟିବା ପାଇଁ ରାଷ୍ଟ୍ରପତିଙ୍କ ଘରେ ପହଞ୍ଚିଥିଲେ। ଏହି ଦୁଇଟି ହାଇ-ପ୍ରୋଫାଇଲ ବୈଠକ ମଧ୍ୟରେ ସମୟ ବହୁତ କମ ଥିଲା, ଯାହା ଯୋଗୁ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା।
ରାଷ୍ଟ୍ରପତି ଜର୍ଦ୍ଦାରୀଙ୍କ ଇସ୍ତଫା କିମ୍ବା ସେନା ମୁଖ୍ୟଙ୍କ ରାଷ୍ଟ୍ରପତି ହେବା ଖବର ଏବେ ଚର୍ଚ୍ଚାରେ ଅଛି। ଅବଶ୍ୟ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି।
ଆସିଫ କହିଛନ୍ତି, ରାଷ୍ଟ୍ରପତି ଜର୍ଦ୍ଦାରୀ ବର୍ତ୍ତମାନର ସରକାର ଏବଂ ରାଜନୈତିକ ପ୍ରକ୍ରିୟା ଉପରେ ସମ୍ପୂର୍ଣ୍ଣ ଆସ୍ଥାବାନ। ପ୍ରଧାନମନ୍ତ୍ରୀ ତାଙ୍କୁ ପରିବର୍ତ୍ତନ ବିଷୟରେ କଥା ହେଉଥିବା ଗୁଜବ ଏବଂ ରିପୋର୍ଟ ବିଷୟରେ ଅବଗତ କରାଇଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେନା ମୁଖ୍ୟ ଜେନେରାଲ ମୁନିରଙ୍କର ରାଜନୀତିରେ କୌଣସି ହସ୍ତକ୍ଷେପ ନାହିଁ। ପ୍ରଧାନମନ୍ତ୍ରୀ ଏବଂ ସେନା ମୁଖ୍ୟ ନିୟମିତ ଭାବରେ ସପ୍ତାହରେ ଦୁଇ-ତିନି ଥର ସାକ୍ଷାତ କରନ୍ତି, ଯେଉଁଠାରେ ସୁରକ୍ଷା, ଆଭ୍ୟନ୍ତରୀଣ ପରିସ୍ଥିତି ଏବଂ ସୀମା ପ୍ରସଙ୍ଗ ଉପରେ ଆଲୋଚନା କରାଯାଏ।