ଦୁବାଇ,୨୭ା୯: ଓପନର ଅଭିଷେକ ଶର୍ମା ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ କ୍ରାମ୍ପର ସମ୍ମୁଖୀନ ହୋଇ ପଡ଼ିଆରୁ ଚାଲିଯାଇଥିଲେ। ଏପରିକି ପାଣ୍ଡ୍ୟା କ୍ରାମ୍ପ୍ସ କାରଣରୁ ମାତ୍ର ୧ ଓଭର ବୋଲିଂ କରିଥିଲେ। ସେ ପ୍ରଥମ ଓଭର ବୋଲିଂ କରିବା ପରେ ପଡ଼ିଆରୁ ଯାଇଥିବା ବେଳେ ଅଭିଷେକ ୯.୨ ଓଭରରେ ପଡ଼ିଆ ଛାଡ଼ିଥିଲେ ଏବଂ ସୁପର ଓଭରରେ ବ୍ୟାଟିଂ କରିବାକୁ ମଧ୍ୟ ଓହ୍ଲାଇ ନ ଥିଲେ। ଏଥିଯୋଗୁ ସୁପର ଓଭରରେ ଅଧିନାୟକ ସୂର୍ଯ୍ୟକୁମାରଙ୍କ ସହ ଶୁବମନ ଗିଲ ବ୍ୟାଟିଂ କରିଥିଲେ।
ଉଭୟ ଖେଳାଳି କ୍ରାମ୍ପ୍ସର ସମ୍ମୁଖୀନ ହେବା ପରେ ଆଇସ୍ ବାଥ ନେଇଥିଲେ। ସେମାନେ ଏବେ କେବଳ ବିଶ୍ରାମ ନେବେ। ପରେ ଖେଳାଳିଙ୍କ ଲାଗି ପୁଲ ସେଶନ ରଖାଯାଇଛି। ସେମାନଙ୍କୁ ମସାଜ୍ ଦିଆଯିବ। ଏଣୁ ସେମାନେ ମ୍ୟାଚ୍ ବେଳକୁ ଫିଟ୍ ହୋଇଯିବେ, ଏହା ଆମେ ଆଶା ରଖିଛୁ ବୋଲି ଭାରତୀୟ ଦଳର ବୋଲିଂ କୋଚ୍ ମୋର୍ନେ ମୋର୍କେଲ ଖବରଦାତା ସମ୍ମିଳନୀରେ କହିଛନ୍ତି।