“ଲଙ୍କାଗୁଣ୍ଡ ପକାଇ ବାନ୍ଧିଲେ, ତା’ପରେ ଛୁରୀରେ ହତ୍ୟା କଲେ”, କର୍ଣ୍ଣାଟକର ପୂର୍ବତନ ଡିଜିପିଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା

ବେଙ୍ଗଲୁରୁ,୨୧।୪: କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ମୃତ୍ୟୁ ମାମଲାରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ସେ ଏପ୍ରିଲ ୨୦ ତାରିଖରେ ବେଙ୍ଗାଲୁରୁସ୍ଥିତ ନିଜ ଘରେ ମୃତ ଅବସ୍ଥାରେ ମିଳିଥିଲେ। ସୂତ୍ର ଅନୁସାରେ, ମଧ୍ୟାହ୍ନରେ ତାଙ୍କର ପତ୍ନୀଙ୍କ ସହ ଝଗଡ଼ା ହୋଇଥିଲା। ଝଗଡ଼ା ସମୟରେ ତାଙ୍କ ପତ୍ନୀ ତାଙ୍କ ଉପରେ ଲଙ୍କାଗୁଣ୍ଡ ପକାଇଥିଲେ, ତାଙ୍କୁ ବାନ୍ଧିଥିଲେ ଏବଂ ତା’ପରେ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲେ। 68 ବର୍ଷୀୟ ଓମ ପ୍ରକାଶଙ୍କ ଉପରେ କାଚ ବୋତଲରେ ମଧ୍ୟ ଆକ୍ରମଣ କରାଯାଇଥିଲା।

ହତ୍ୟା ପରେ ଓମ ପ୍ରକାଶଙ୍କ ପତ୍ନୀ ଅନ୍ୟ ଜଣେ ପୋଲିସ ଅଧିକାରୀଙ୍କ ପତ୍ନୀଙ୍କୁ ଫୋନ କରି କହିଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଓମ ପ୍ରକାଶଙ୍କ ପତ୍ନୀ ଏବଂ ଝିଅକୁ ହେପାଜତରେ ନେଇଥିଲା। ପୋଲିସ ମା’ ଓ ଝିଅଙ୍କଠାରୁ ପ୍ରାୟ ୧୨ ଘଣ୍ଟା ଧରି ପଚରାଉଚରା କରିଛି।
ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା

ରିପୋର୍ଟରେ କୁହାଯାଇଛି ଯେ ଓମ ପ୍ରକାଶ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଜମି ଜାଗା ସମ୍ପତ୍ତିକୁ ନେଇ ବିବାଦ ହୋଇଥିଲା। ଓମ ପ୍ରକାଶ ସେହି ସମ୍ପତ୍ତି ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଦେଇଥିଲେ, ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ଏତେ ବଢ଼ିଗଲା ଯେ ମାରପିଟ ଆରମ୍ଭ ହୋଇଗଲା ଏବଂ ସନ୍ଦେହ କରାଯାଉଛି ଯେ ପତ୍ନୀ ହିଁ ତାଙ୍କୁ ହତ୍ୟା କରିଛନ୍ତି। ପୋଲିସ ଏବେ ଏହା ମଧ୍ୟ ତଦନ୍ତ କରୁଛି ଯେ ତାଙ୍କ ଝିଅ ମଧ୍ୟ ଏହି ଘଟଣାରେ ସାମିଲ ଥିଲେ କି ନାହିଁ। ଓମ ପ୍ରକାଶଙ୍କ ପୁତ୍ରଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ବେଙ୍ଗାଲୁରୁର ଅତିରିକ୍ତ ପୋଲିସ ଆୟୁକ୍ତ ବିକାଶ କୁମାର କହିଛନ୍ତି ଯେ ସକାଳ ପ୍ରାୟ ୪ ଟା ସମୟରେ ପୋଲିସକୁ ସୂଚନା ମିଳିଥିଲା ଯେ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କର ମୃତ୍ୟୁ ହୋଇଛି। ଓମ ପ୍ରକାଶ ୧୯୮୧ ବ୍ୟାଚର ଆଇପିଏସ (ଭାରତୀୟ ପୋଲିସ ସେବା) ଅଧିକାରୀ ଥିଲେ। ସେ ମାର୍ଚ୍ଚ ୨୦୧୫ରେ କର୍ଣ୍ଣାଟକର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତ ହୋଇଥିଲେ। ଏହାପୂର୍ବରୁ ସେ ଅଗ୍ନିଶମ, ଜରୁରୀ ସେବା ଏବଂ ହୋମ ଗାର୍ଡ ବିଭାଗର ମୁଖ୍ୟ ଭାବେ ମଧ୍ୟ କାର୍ୟ୍ୟ କରିଥିଲେ।