ଦେବଗଡ,୧୩।୩(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଥାନା ବ୍ରାହ୍ମଣୀମାଳ ଗ୍ରାମରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ବ୍ୟବଚ୍ଛେଦ ତଥ୍ୟ ଆସିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସ୍ପଷ୍ଟ କରିଛି। ହତ୍ୟାକାଣ୍ଡରେ ମୃତ ମହିଳାଙ୍କ ସ୍ବାମୀ ସମ୍ପୃକ୍ତ ଥିବା ଜଣାପଡିବାରୁ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ମାତ୍ର ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତ ଜାନୁୟାରୀ ୨୩ ତାରିଖ ରାତି ବ୍ରାହ୍ମଣୀମାଳ ଗ୍ରାମର ଜଗ ରଣାଙ୍କ ସ୍ତ୍ରୀ ରେବତୀ ରଣା (୩୫)ଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଦେବଗଡ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରହିଥିଲା। ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ମହିଳା ବିଭିନ୍ନ ସମୟରେ ନିଶା ସେବନ କରୁଥିଲେ । ଏଥିପାଇଁ ଘରର ଚାଉଳ, ଡାଲି ଆଦି ବିକ୍ରି କରୁଥିବାରୁ ସ୍ବାମୀ, ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହେଉଥିଲା । ଏହି କ୍ରମରେ ଗତ ଜାନୁୟାରୀ ୨୩ ତାରିଖ ରାତିରେ ମୃତ ମହିଳା ରେବତୀ ମଦ୍ୟପାନ କରି ଘରେ ନିଶାସକ୍ତ ଅବସ୍ଥାରେ ଥିବା ସମୟରେ ସ୍ବାମୀ ଜଗ ରଣା ଘରକୁ ଆସି ଖାଇବାକୁ ମାଗିଥିଲେ । ମାତ୍ର ସ୍ତ୍ରୀ ରେବତୀ ଖାଇବାକୁ ଦେବା ପାଇଁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚ୍ସା ହୋଇଥିଲା । ସ୍ତ୍ରୀର ଏଭଳି ବ୍ୟବହାରରେ ଉତ୍କ୍ଷିପ୍ତ ହୋଇ ଜଗ ଏକ ବାଡି ସାହାଯ୍ୟରେ ମାଡ ମାରିବାସହ ରେବତୀଙ୍କ ଛାତିରେ ଏକ ପଥର କଚାଡି ଦେଇଥିଲେ । ଫଳରେ ରେବତୀଙ୍କ ମୃତ୍ୟୁ ହୋଇଥିବାବେଳେ ନିଶା ପାଇଁ ସେ ଅଚେତ ହୋଇ ପଡିଥିବା ଜଗ ଅନୁମାନ କରିଥିଲେ । କିନ୍ତୁ ଦୀର୍ଘ ସମୟ ଧରି ନଉଠିବାରୁ ମୃତ୍ୟୁ ଆଶଙ୍କା କରି ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମାତ୍ର ନିଶା ସେବନ କରି ତଳେ ପଡିଯିବାରୁ ରେବତୀଙ୍କର ମୃତ୍ୟୁ ଘଟିଥିବା ପୋଲିସ ସମ୍ମୁଖରେ ତାଙ୍କ ସ୍ବାମୀ ଜଗ ପ୍ରକାଶ କରିଥିଲେ । କିନ୍ତୁ ରେବତୀଙ୍କ ଛାତିରେ ମାଡ ମରାଯାଇଥିବା ଏବଂ ଏଥିଯୋଗୁ ତାଙ୍କର ୩ଟି ପଞ୍ଜରା ହାଡ ଭାଙ୍ଗିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଥିଲା । ଫଳରେ ପୋଲିସ ପୂର୍ବରୁ ହୋଇଥିବା ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲାରେ ରୂପାନ୍ତରିତ କରି ତଦନ୍ତ ଚଳାଇଥିଲା । ତଦନ୍ତ ସମୟରେ ଜଗ ନିଜେ ସ୍ତ୍ରୀ ରେବତୀଙ୍କ ଛାତି ଉପରେ ପଥର କଚାଡି ତାଙ୍କୁ ହତ୍ୟା କରିଥିବା ପୋଲିସ ସମ୍ମୁଖରେ ସ୍ବୀକାର ଥିଲେ । ଫଳରେ ଦେବଗଡ ଥାନା ପୋଲିସ ଆଜି ହତ୍ୟା ଅଭିଯୋଗରେ ଗିରଫ କରି ତାଙ୍କୁ କୋର୍ଟଚାଲାଣ କରିଥିଲା ।