ଲୋଇସିଂହା,୯ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଷାଠିଏ ଘର ଡୁମାଲ ସମାଜର ଜିଲା ପନୁଆ (ସଭାପତି) ଲମ୍ବୋଦର ମହାକୁର ତାଙ୍କ ପଦବୀରୁ ଗୁରୁବାର ଅବ୍ୟାହତ ନେଇଛନ୍ତି। ଏହାପରେ ତାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ପୁଅ ଶରତ ମହାକୁରଙ୍କୁ ଜିଲାର ନୁତନ ସଭାପତି ଭାବେ ଅଭିଷିକ୍ତ କରାଯାଇଛି। ପାଟଣାରାଜା ଓ ମହାରାଣୀଙ୍କ ଅନୁପସ୍ଥିତିରେ ରାଜ୍ୟ ଡୁମାଲ ପରିଷଦ ସଭାପତି ଦୟାସାଗର ମେଲ୍ଲି ଶରତଙ୍କୁ ପାଗା ପ୍ରଦାନ କରି ଦାୟିତ୍ୱ ଅର୍ପଣ କରିଥିଲେ। ରାଣୀପାଲି ମା’ ମାହେଶ୍ୱରୀ ପୀଠ ପ୍ରାଙ୍ଗଣରେ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ରାଜ୍ୟ ଯୁବ ସଭାପତି ଦୟାନିଧି ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଡୁମାଲ ପରିଷଦ ସଭାପତି ମେଲ୍ଲି, ଉପସଭାପତି ସୁଦାମ ଖମାରୀ, ପୂର୍ବତନ ରାଜ୍ୟ ସଭାପତି ଦେବାର୍ଚ୍ଚନ ଚାଉଲିଆ, ସମ୍ବଲପୁର ଜିଲା ସଭାପତି ଦେବୀଲାଲ ପଧାନ, ବୌଦ୍ଧ ଜିଲା ସଭାପତି ସୀତାଂଶୁ କୁମାର ମହାକୁର, ସୁବର୍ଣ୍ଣପୁର ଜିଲା ସଭାପତି ଅଶ୍ୱିନୀ ମହାକୁର, ରାଜ୍ୟ କୋଷାଧ୍ୟକ୍ଷ ବିପିନ ପାତ୍ର, ଜିଲା ସମ୍ପାଦକ ବୃଷଭ ଦନ୍ତା ପ୍ରମୁଖ ମଞ୍ଚାସୀନ ହୋଇଥିଲେ ା ଏହି କାର୍ଯ୍ୟକ୍ରମରେ ଜିଲାର ୨୩ କେନ୍ଦ୍ରର ସଭାପତି, ଚକ ସଭାପତି ସମେତ ଜିଲା ତଥା ପଡୋସୀ ଜିଲାର ଶତାଧିକ ଜାତିଭାଇ ଯୋଗଦେଇଥିଲେ। ନୁତନ ସଭାପତିଙ୍କୁ ଅଭିଷିକ୍ତ କରିବା ପାଇଁ ସ୍ଥାନୀୟ ମା’ ମାହେଶ୍ୱରୀ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା। ଏହାଛଡା ପଣ୍ଡିତ ପ୍ରସନ୍ନ ଖମାରୀ ଓ ପୂଜକ ସୀତାରାମ ବ୍ରହ୍ମା ହୋମଯଜ୍ଞ କରିଥିଲେ ା ଅବ୍ୟାହତ ସଭାପତି ଏବଂ ନୁତନ ସଭାପତିଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ମତାନ୍ତରକୁ ଭୁଲି ସମାଜରେ ଏକତା ସ୍ଥାପନ ଏବଂ ସମାଜରେ ଶିକ୍ଷା, ଆର୍ଥିକ ଓ ସମାଜିକ ସ୍ତରରେ ଉନ୍ନତୀ ପାଇଁ କାର୍ଯ୍ୟ କରିବାକୁ ଅତିଥିମାନେ ଆହ୍ବାନ ଜଣାଇଥିଲେ। ସୂଚନାଯୋଗ୍ୟ, ଶରତ ହଷ୍ଠତମ ଉତ୍ତରାଧିକାରୀ ଭାବେ ଜିଲା ସଭାପତି ହୋଇଛନ୍ତି। ୧୮୮୮ରେ ତାଙ୍କ ପଣଅଜା ଚରଣ ମହାକୁର ଏହି ପଦବୀ ହାସଲ କରିଥିଲେ। ସେତେବଳେ ପାଟଣା ଷ୍ଟେଟରର ମହାରାଜା ପୃଥୀରାଜ ସିଂଦେଓ ଚରଣଙ୍କୁ ପ୍ରଥମ ଜିଲା ସଭାପତି ଭାବେ ଅବସ୍ତାପିତ କରିଥିଲେ ା