ନୂଆଦିଲ୍ଲୀ,୨୫।୬: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସେପ୍ଟେମ୍ବର ୩୦, ୨୦୨୫ ସୁଦ୍ଧା ଦେଶର ୭୫% ଏଟିଏମରୁ ଅତି କମରେ ଗୋଟିଏ କ୍ୟାସେଟରୁ ୧୦୦ କିମ୍ବା ୨୦୦ ଟଙ୍କା ନୋଟ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହି ଲକ୍ଷ୍ୟ ପୂରଣ ପାଇଁ ଆଉ ୩ ମାସରୁ ଅଧିକ ସମୟ ବାକି ଥିବା ବେଳେ ବ୍ୟାଙ୍କଗୁଡିକ ଏବେ ହିଁ ୭୩% ଏଟିଏମରେ ଏହି ସୁବିଧା ଯୋଗାଇ ସାରିଛନ୍ତି।
ସିଏମଏସ ଇନ୍ଫୋସିଷ୍ଟମ୍ସର ତଥ୍ୟ ଅନୁଯାୟୀ, ଦେଶର ମୋଟ ୨,୧୫,୦୦୦ ଏଟିଏମ ମଧ୍ୟରୁ ୭୩,୦୦୦ ଏଟିଏମର ପରିଚାଳନା କରୁଥିବା ଏହି ସଂସ୍ଥାର ନେଟୱାର୍କରେ ଡିସେମ୍ବର ୨୦୨୪ରେ ୬୫% ଏଟିଏମ କମ ମୂଲ୍ୟର ନୋଟ ଯୋଗାଉଥିବା ବେଳେ ଏବେ ଏହା ୭୩%କୁ ବୃଦ୍ଧି ପାଇଛି। ସିଏମଏସ ଇନ୍ଫୋସିଷ୍ଟମ୍ସର ନଗଦ ପରିଚାଳନା ସଭାପତି ଅନୁଶ ରାଘବନ କହିଛନ୍ତି, ୬୦% ଗ୍ରାହକ ଖର୍ଚ୍ଚ ଏବେ ମଧ୍ୟ ନଗଦ ଉପରେ ନିର୍ଭର କରୁଛି। ୧୦୦ ଓ ୨୦୦ ଟଙ୍କା ନୋଟ୍ର ଉପଲବ୍ଧତା ବିଶେଷ କରି ଅର୍ଦ୍ଧ-ସହରୀ ଓ ଗ୍ରାମୀଣ ଅଞ୍ଚଳରେ ଦୈନନ୍ଦିନ କାରବାର ପାଇଁ ଅତ୍ୟନ୍ତ ଜରୁରୀ।
ଆରବିଆଇର ଏହି ନିର୍ଦ୍ଦେଶ ଅନୁଯାୟୀ, ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ୯୦% ଏଟିଏମରୁ କମ ମୂଲ୍ୟର ନୋଟ ବାହାରିବା ଆବଶ୍ୟକ। ଏହି ପଦକ୍ଷେପ ଛୋଟ ବ୍ୟବସାୟୀ ଓ ଦୈନିକ ଆବଶ୍ୟକତା ପାଇଁ ନଗଦ ଉପରେ ର୍ନିଭରଶୀଳ ଲୋକଙ୍କ ପାଇଁ ସୁବିଧା ଆଣିବ ବୋଲି ଆଶା କରାଯାଉଛି।