EPFOକୁ ନେଇ ଆସିଲା ବଡ଼ ଖବର: ମନ୍ତ୍ରୀ ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୧୯ା୯(ପି.ଟି.):କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ)ର ୭ କୋଟିରୁ ଊର୍ଦ୍ଧ୍ୱ ସଦସ୍ୟ ଏଣିକି ସେମାନଙ୍କ ପୋର୍ଟାଲରେ ଗୋଟିଏ ଲଗ୍‌ଇନ୍‌ କରି ସମସ୍ତ ପ୍ରମୁଖ ସେବା ପାଇବା ସହ ସେମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ୍‌ ଆକାଉଣ୍ଟର ସବିଶେଷ ତଥ୍ୟ ପାଇପାରିବେ। କେନ୍ଦ୍ର ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଗୁରୁବାର ଏହା କହିଛନ୍ତି। ଇପିଏଫ୍‌ଓ ଏହାର ସଦସ୍ୟମାନଙ୍କୁ ପ୍ରଭାବଶାଳୀ, ସ୍ବଚ୍ଛ ଏବଂ ୟୁଜର ଫ୍ରେଣ୍ଡଲି ସେବା ପ୍ରଦାନ ସୁନିଶ୍ଚିତ କରିବା ପାଇଁ ଆଣିଥିବା ପ୍ରମୁଖ ସଂସ୍କାର ସମ୍ପର୍କରେ ମାଣ୍ଡବ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସମ୍ପ୍ରତି ସଦସ୍ୟମାନେ ସେମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅଂଶଦାନ, ଅଗ୍ରିମ କିମ୍ବା ଟଙ୍କା ଉଠାଣ ସହ ସମ୍ପୃକ୍ତ କାରବାର ଜାଣିବା ପାଇଁ ଇପିଏଫ୍‌ଓର ପାସ୍‌ବୁକ୍‌ ପୋର୍ଟାଲକୁ ଲଗ୍‌ଇନ୍‌ କରୁଥିଲେ। ଇପିଏଫ୍‌ଓ ଏବେ ‘ପାସ୍‌ବୁକ୍‌ ଲାଇଟ୍‌’ ନାମରେ ନୂଆ ସୁବିଧା ଆରମ୍ଭ କରିଛି। ଏହାଦ୍ୱାରା ପାସ୍‌ବୁକ୍‌ ପୋର୍ଟାଲକୁ ନ ଯାଇ ‘ମେମ୍ବର ପୋର୍ଟାଲ’ ଜରିଆରେ ଏହାର ସଦସ୍ୟମାନେ ସହଜରେ ସେମାନଙ୍କ ପାସ୍‌ବୁକ୍‌ ଯାଞ୍ଚ କରିପାରିବା ସହ ସହଜ ଓ ସୁବିଧାଜନକ ଫର୍ମାଟରେ ସେମାନଙ୍କ ଅଂଶଦାନ, ଉଠାଣ ଓ ବାଲାନ୍ସ ଦେଖିପାରିବେ। ଗୋଟିଏ ଲଗ୍‌ଇନ୍‌ରେ ପାସ୍‌ବୁକ୍‌ ସମେତ ସମସ୍ତ ପ୍ରମୁଖ ସେବା ମିଳିପାରିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଗ୍ରାଫିକାଲ ଡିସ୍‌ପ୍ଲେ ସମେତ ପାସ୍‌ବୁକ୍‌ର ସବିଶେଷ ତଥ୍ୟକୁ ବିସ୍ତୃତ ଭାବେ ଦେଖିବା ପାଇଁ ସଦସ୍ୟମାନଙ୍କୁ ପାସ୍‌ବୁକ୍‌ ପୋର୍ଟାଲକୁ ଯିବାକୁ ପଡ଼ିବ।