ନୂଆଦିଲ୍ଲୀ ,୧୨ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ ନେଇ ଏବେ ତୈଳ ଏବଂ ଗ୍ୟାସ୍ ଯୋଗାଣ ଶୃଙ୍ଖଳ ଭାରି ମାତ୍ରାରେ ପ୍ରଭାବିତ ହୋଇଛି। ଏହାକୁ ନେଇ ଦେଶରେ ପେଟ୍ରୋଲିୟମଜାତ ସାମଗ୍ରୀ ଏବଂ ଗ୍ୟାସ୍ର ଉତ୍କଟ ଅଭାବ ଦେଖାଯିବା ସହ ମୂଲ୍ୟ ବହୁମାତ୍ରାରେ ବୃଦ୍ଧି ପାଇବ ବୋଲି ସାଧାରଣରେ ଭୟ ପଶିଛି। କିନ୍ତୁ ଯୁଦ୍ଧ ସତ୍ତ୍ୱେ ଦେଶର ତୈଳ ଯୋଗାଣ କ୍ଷେତ୍ର ସୁରକ୍ଷିତ ରହିଛି ବୋଲି କେନ୍ଦ୍ର ସରକାର ବୁଧବାର ନିଶ୍ଚିତ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସରକାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପଶ୍ଚିମ ଏସିଆରେ ଯୁଦ୍ଧ ସଙ୍କଟ ଏବଂ ବିଶେଷକରି ହର୍ମୁଜ୍ ଷ୍ଟ୍ରେଟ୍ ସମସ୍ୟା ସତ୍ତ୍ୱେ ଭାରତର ଦୈନିକ ଅଶୋଧିତ ତୈଳ ଯୋଗାଣ କ୍ଷେତ୍ର ସ୍ୱାଭାବିକ ରହିଛି। ୧୨ ଦିନର ଯୁଦ୍ଧ ମଧ୍ୟରେ ହର୍ମୁଜ୍ ଷ୍ଟ୍ରେଟ୍ ଦେଇ ଯେତିକି ପରିମାଣର ତୈଳ ଆମଦାନୀ ହୋଇଥାଆନ୍ତା ଏବେ ଦୈନିକ ଯେତିକି ପରିମାଣର ଅଶୋଧିତ ତୈଳ ଆବଶ୍ୟକତା ରହିଥାଆନ୍ତା, ବର୍ତ୍ତମାନ ତା’ ଠାରୁ ଅଧିକ ପରିମାଣର ତୈଳ ଗଚ୍ଛିତ ରହିଛି। ଆବଶ୍ୟକତା ଅନୁସାରେ ବର୍ତ୍ତମାନ ଦୈନିକ ୫୫ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଯୋଗାଣ ହୋଇପାରୁଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ଦେଶର ଚାହିଦା ଅନୁସାରେ ତୈଳ ଆମଦାନୀ ସନ୍ତୁଳିତ ରଖିବାକୁ କେନ୍ଦ୍ର ସରକାର ଏବଂ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକୁ ବିକଳ୍ପ ଉତ୍ସ ନିଶ୍ଚିତ କରିଛନ୍ତି ବୋଲି କୁହାଯାଇଛି।
ସେହିପରି ଗ୍ୟାସ୍ର ଅଭାବକୁ ନେଇ ବର୍ତ୍ତମାନ ସାଧାରଣରେ ଛାନିଆ ପଶିଥିଲାବେଳେ ଆଦୌ ଆଶଙ୍କିତ ନ ହେବାକୁ କେନ୍ଦ୍ର ସରକାର କହିଛନ୍ତି। ବର୍ତ୍ତମାନ ପର୍ଯ୍ୟାପ୍ତ ପରିମାଣର ରନ୍ଧନ ଗ୍ୟାସ୍ ମହଜୁଦ ରହିଛି ଏବଂ ଲୋକମାନେ ଆଗୁଆ ଗ୍ୟାସ୍ ବୁକିଂ ପାଇଁ ବ୍ୟାକୁଳ ହେବା ଦରକାର ନାହିଁ। ମୁମ୍ୱାଇ, ବେଙ୍ଗାଲୁରୁ, ଦିଲ୍ଲୀ, ଗୁରୁଗ୍ରାମ ଭଳି ବଡ଼ ବଡ଼ ସହରରେ ହୋଟେଲ ଓ ରେଷ୍ଟୁରାଣ୍ଟଗୁଡିକରେ ଗ୍ୟାସ୍ ବ୍ୟବହାର କରିବାକୁ କୁହାଯାଇଥିଲାବେଳେ ଘରୋଇ ସ୍ତରରେ ଖାଉଟିମାନଙ୍କୁ ଠିକଣା ସମୟରେ ଏବଂ ଆବଶ୍ୟକତା ଅନୁସାରେ ଗ୍ୟାସ୍ ଯୋଗାଇଦେବାକୁ ଅଗ୍ରାଧିକାର ଦିଆଯାଇଛି ବୋଲି ସରକାର କହିଛନ୍ତି।