ନୂଆଦିଲ୍ଲୀ,୨୩।୧: କ୍ରିକେଟ ପଡ଼ିଆରେ ପ୍ରାୟତଃ ଦୁର୍ଘଟଣା ଘଟେ। ଆଫଗାନିସ୍ତାନ ଓପନର ରହମାନୁଲ୍ଲାହ ଗୁରବାଜ ଏପରି ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ସମୟରେ ଗୁରବାଜ ଆହତ ହୋଇଥିଲେ। ୧୫ତମ ଓଭରରେ ବଲ ଗୁରବାଜଙ୍କ ବେକରେ ବାଜିଥିଲା। ଗୁରବାଜ ନନ-ଷ୍ଟ୍ରାଇକ ଏଣ୍ଡରେ ଥିଲେ ଏବଂ ସେ କ୍ରିଜକୁ ଫେରିବାକୁ ଚେଷ୍ଟା କରିବା ସମୟରେ ଜଣେ ଫିଲ୍ଡରଙ୍କ ଥ୍ରୋ ସିଧାସଳଖ ତାଙ୍କ ବେକରେ ବାଜିଥିଲା।
ଗୁରବାଜଙ୍କ ବେକରେ ବଲ ବାଜିବା ମାତ୍ରେ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କ ହେଲମେଟ ତଳେ ପଡ଼ିଯାଇଥିଲା। ଅମ୍ପାୟାର ତୁରନ୍ତ ଆଫଗାନିସ୍ତାନ ଫିଜିଓଙ୍କୁ ପଡ଼ିଆକୁ ଡକାଇଥିଲେ। ଖେଳ ବହୁତ ସମୟ ପାଇଁ ବନ୍ଦ ହୋଇଯାଇଥିଲା। ସୌଭାଗ୍ୟବଶତଃ, ଗୁରବାଜ ଗୁରୁତର ଆହତ ହୋଇ ନ ଥିଲେ ଏବଂ ସେ ଠିଆ ହୋଇପାରିଥିଲେ। ଏହା ପରେ ଗୁରବାଜ ବ୍ୟାଟିଂ ଜାରି ରଖିଥିଲେ। ସେ ୫୮ ବଲରୁ ୭୧ ରନ କରିଥିଲେ। ଗୁରବାଜ ଏବଂ ଇବ୍ରାହିମ ଜାଦ୍ରନ ଆଫଗାନିସ୍ତାନକୁ ୭୨ ରନରେ ପହଞ୍ଚାଇଥିଲେ, କିନ୍ତୁ ଏହା ପରେ, ଆଫଗାନିସ୍ତାନ ମଧ୍ୟକ୍ରମ ତାସ ପତା ପରି ଭୁଷୁଡି ପଡ଼ିଲା। ମଧ୍ୟକ୍ରମରେ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଷଲ ଏବଂ ଶେଷରେ ଆଫଗାନିସ୍ତାନ ୧୫୨ ରନର ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା। ଆଫଗାନିସ୍ତାନ କେବଳ ୧୩୬ ରନ କରିଥିଲା। ଆଫଗାନିସ୍ତାନ ମ୍ୟାଚ ହାରିଗଲା ସତ, କିନ୍ତୁ ସବୁଠାରୁ ବଡ଼ ଚିନ୍ତା ହେଉଛି ରହମାନୁଲ୍ଲାହ ଗୁରବାଜଙ୍କ ଫିଟନେସ। ଟି୨୦ ବିଶ୍ୱକପ ଆସନ୍ତା ମାସରେ ହେବାକୁ ଯାଉଛି ଏବଂ ଯଦି ଗୁରବାଜ ଫିଟ ନ ହୁଅନ୍ତି, ତେବେ ଏହା ଆଫଗାନିସ୍ତାନ ଦଳ ପାଇଁ ଏକ ବଡ଼ ଧକ୍କା ହେବ।
ଆଫଗାନିସ୍ତାନ ତୃତୀୟ ଟି୨୦ ମ୍ୟାଚ ହାରିଥିଲା ସତ, କିନ୍ତୁ ସେମାନେ ପୂର୍ବରୁ ସିରିଜ ଜିତି ସାରିଥିଲେ। ଆଫଗାନିସ୍ତାନ ପ୍ରଥମ ଦୁଇଟି ମ୍ୟାଚ ଜିତିଥିଲା। ସିରିଜରେ ଆଫଗାନିସ୍ତାନ ଦଳ ପାଇଁ ଦାରୱିଶ ରସୁଲି ସର୍ବାଧିକ ୧୫୬ ରନ କରିଥିଲେ। ଇବ୍ରାହିମ ଜାଦ୍ରନ ମଧ୍ୟ ୧୩୭ ରନ କରିଥିଲେ।