ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ୪୮ ଘଣ୍ଟା ମଧ୍ୟରେ ହେବାକୁ ଯାଉଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୭:ଭାରତ ଏବଂ ଆମେରିକା ମଧ୍ୟରେ ଟ୍ରେଡ୍‌ ଡିଲ୍‌ ବହୁ ଦିନ ଧରି ଆଲୋଚନାରେ ରହିଛି। ଏବେ ଏହି ମଧ୍ୟବର୍ତ୍ତୀକାଳୀନ ଟ୍ରେଡ୍‌ ଡିଲ୍‌କୁ ଚୂଡ଼ାନ୍ତ କରାଯିବ ବୋଲି ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଟ୍ରେଡ୍‌ ଡିଲ୍‌କୁ ୪୮ ଘଣ୍ଟା ମଧ୍ୟରେ ଚୂଡ଼ାନ୍ତ କରାଯିବ। ଏ ନେଇ ଦିଲ୍ଲୀ ଏବଂ ୱାଶିଂଟନ ଡିସି ମଧ୍ୟରେ ଆଲୋଚନା ଚାଲିଛି। ଭାରତର ବାଣିଜ୍ୟ ଟିମ୍‌ ବର୍ତ୍ତମାନ ୱାଶିଂଟନରେ ଅଛନ୍ତି। ଏହି ଟିମ୍‌ ଭାରତ ଫେରିବାର ଥିଲା, କିନ୍ତୁ ଏବେ ଏହା ଆହୁରି କିଛି ଦିନ ଏଠାରେ ରହିବ, ଯାହା ଦ୍ୱାରା ଡିଲ୍‌ ଚୂଡ଼ାନ୍ତ କରାଯାଇପାରିବ।

ଭାରତ ଏବଂ ଆମେରିକା ଟ୍ରେଡ୍‌ ଡିଲ୍‌କୁ ଚୂଡ଼ାନ୍ତ କରିବା ପାଇଁ ଜୁଲାଇ ୯ ତାରିଖ ଧାର୍ଯ୍ୟ କରିଥିଲେ, କିନ୍ତୁ ଏହା ପୂର୍ବରୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏକ ଛୋଟ ଟ୍ରେଡ୍‌ ଡିଲ୍‌ ହୋଇପାରେ। ଏହି ସମୟ ମଧ୍ୟରେ, ଆମେରିକା ଟାରିଫ୍‌ ଉପରେ ମଧ୍ୟ ବିଚାର କରାଯିବ। ଏହା ମଧ୍ୟ ଜାଣିବାକୁ ମିଳିଛି ଯେ, ଉଭୟ ଦେଶ ଅନେକ ପ୍ରସଙ୍ଗରେ ନିଜ ନିଜ ମତରେ ଅଟଳ ଅଛନ୍ତି। ଆମେରିକା ଦାବି କରୁଛି ଯେ, ଭାରତ ଜେନେଟିକାଲ ମର୍ଡିଫାଏଡ୍‌ ଫସଲ ପାଇଁ ତା’ର ବଜାର ଖୋଲିବ।
ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଆମେରିକା ଭାରତଠାରୁ ଅନେକ ଦାବି କରୁଛି। ରିପୋର୍ଟ ଅନୁଯାୟୀ, ଏହା ଭାରତର ଦୁଗ୍ଧ କ୍ଷେତ୍ର ଏବଂ କୃଷିରେ ତା’ର ହସ୍ତକ୍ଷେପ ବୃଦ୍ଧି କରିବାକୁ ଚାହୁଁଛି। ଅନ୍ୟପକ୍ଷରେ, ଭାରତ ଜୋତା, ପୋଷାକ ଏବଂ ଚମଡା ଭଳି ସାମଗ୍ରୀ ଉପରେ ଟାରିଫ୍‌ରେ ରିହାତି ପାଇଁ ଚାପ ସୃଷ୍ଟି କରୁଛି। ଏହିପରି ଭାବରେ, ଉଭୟ ଦେଶ ବର୍ତ୍ତମାନ ନିଜ ନିଜ ପ୍ରସଙ୍ଗ ଉପରେ ଅଧିକ ଧ୍ୟାନ ଦେଉଛନ୍ତି।