OPTCLର ବଡ଼ ଘୋଷଣା: ରବିବାର ହେବନି ବିଦ୍ୟୁତ୍‌ କାଟ୍‌

ବରଗଡ଼,୮ା୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାର ନିଗମ ଲିମିଟେଡ୍‌(ଓପିଟିସିଏଲ୍‌) ପକ୍ଷରୁ ୧୩୨/୩୩ କେ.ଭି ପ୍ରଧାନପାଲି ଗ୍ରୀଡ୍‌ ସବ୍‌ଷ୍ଟେଶନରେ ବାର୍ଷକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ରବିବାର ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ୍‌ ହେବ ବୋଲି ଶୁକ୍ରବାର ଟିପିଡବ୍ଲ୍ୟୁଓଡିଏଲ୍‌ ପକ୍ଷରୁ ଏକ ପ୍ରେସ୍‌ ବିବୃତ୍ତିରେ ସୂଚନା ଦିଆଯାଇଥିଲା। ତେବେ ରବିବାର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରହିଥିବାରୁ ଏହି ବିଦ୍ୟୁତ୍‌କାଟ୍‌କୁ ବାତିଲ୍‌ କରି ଦିଆଯାଇଛି ବୋଲି ଶନିବାର ଟିପିଡବ୍ଲୁଓଡିଏଲ୍‌ ଆଉ ଏକ ପ୍ରେସ୍‌ ବିବୃତ୍ତିରେ ସୂଚନା ଦେଇଛି। ବିଦ୍ୟୁତ୍‌ କାଟ୍‌ ବାତିଲ ହେବା ପରେ ଜିଲାର କ୍ରିକେଟ୍‌ ପ୍ରେମୀଙ୍କ ମନରେ ଉତ୍ସାହ ଦେଖାଯାଇଛି। କାରଣ ରବିବାର କଟକ ବାରବାଟୀ ଷ୍ଟାଡ଼ିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ୍‌ ସିରିଜ୍‌ ଥିବାବେଳେ ରବିବାର ବିଦ୍ୟୁତ୍‌କାଟ୍‌ ହୋଇଥିଲେ ଟିଭିରେ ପ୍ରତିଯୋଗିତାର ସିଧାପ୍ରସାରଣ ଦେଖିବାରୁ ଅନେକ କ୍ରିକେଟପ୍ରେମୀ ବଞ୍ଚିତ ହେବେ ବୋଲି ଆଶଙ୍କା ପ୍ରକାଶ କରିଥିଲେ।