ନୂଆଦିଲ୍ଲୀ,୩୧।୧: ୨୦୨୫ ବଜେଟ ପୂର୍ବରୁ ବଡ଼ ଘୋଷଣା! କମିପାରେ ପେଟ୍ରୋଲ-ଡିଜେଲ ଦର। ଏଥିପାଇଁ, ଉତ୍ପାଦ ଶୁଳ୍କ ହ୍ରାସ କରାଯାଇପାରେ। ବର୍ତ୍ତମାନ ପେଟ୍ରୋଲ ଉପରେ ୧୯.୯୦ ଟଙ୍କା ଏବଂ ଡିଜେଲ ଉପରେ ୧୫.୮୦ ଟଙ୍କା ଶୁଳ୍କ ଲାଗୁ ହେଉଛି। ଏହା ବ୍ୟତୀତ, ଇଲେକ୍ଟ୍ରୋନିକ୍ସ ଉପରେ ଆମଦାନୀ ଶୁଳ୍କ ହ୍ରାସ ଯୋଗୁଁ ମୋବାଇଲ ଭଳି ଜିନିଷ ଶସ୍ତା ହୋଇପାରେ।
ଅର୍ଥନୈତିକ ବିଶେଷଜ୍ଞନୁସାରେ, ସରକାର ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ କରମୁକ୍ତ କରିପାରନ୍ତି। ଏଥିସହ, ୧୫ରୁ ୨୦ଲକ୍ଷ ଟଙ୍କା ଆୟ ଉପରେ ୨୫% ଟିକସର ଏକ ନୂଆ ବର୍ଗ ପ୍ରଚଳନ କରିପାରନ୍ତି। ବର୍ତ୍ତମାନର ଟିକସ ଗଠନରେ ଛଅଟି ବର୍ଗ ଅଛି।
ସେହିପରି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ, ବାର୍ଷିକ ୬ହଜାର ଟଙ୍କାକୁ ୧୨ହଜାର ଟଙ୍କାକୁ ବୃଦ୍ଧି କରାଯାଇପାରେ। ଏହି ଯୋଜନା ଦେଶର କୋଟି କୋଟି ଚାଷୀଙ୍କୁ ଲାଭ ଦେଉଛି, ଏବଂ ଏହି ବୃଦ୍ଧି ଚାଷୀଙ୍କ ଆର୍ଥିକ ସ୍ଥିତିକୁ ଉନ୍ନତ କରିପାରିବ।
ଗ୍ରାମାଞ୍ଚଳର ଯୁବକ ଯୁବତୀଙ୍କ ପାଇଁ ଇଣ୍ଟର୍ନସିପ କାର୍ଯ୍ୟକ୍ରମ ଘୋଷଣା କରାଯାଇପାରେ। ଏହା ସହିତ, ଏକ ‘ସମନ୍ନିତ ଜାତୀୟ ନିଯୁକ୍ତି ନୀତି’ ଗଠନ କରାଯାଇପାରିବ, ଯାହା ଦାରା ବିଭିନ୍ନ ମନ୍ତ୍ରଣାଳୟର ଯୋଜନାଗୁଡ଼ିକୁ ଗୋଟିଏ ଛତା ତଳେ ଅଣାଯାଇପାରିବ। ଏହା ବ୍ୟତୀତ, ଷ୍ଟାର୍ଟଅପ୍ଗୁଡ଼ିକୁ ମଧ୍ୟ ସମର୍ଥନ ମିଳିବାର ସମ୍ଭାବନା ରହିଛି।
ସ୍ବାସ୍ଥ୍ୟ କ୍ଷେତ୍ରର ବଜେଟ ୧୦% ବୃଦ୍ଧି କରାଯାଇପାରିବ। ଏହା ଅଧୀନରେ, ମେଡିକାଲ କଲେଜଗୁଡ଼ିକରେ ୭୫ ହଜାର ସିଟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ସହିତ, MRI ଭଳି ଚିକିତ୍ସା ଉପକରଣ ଉପରେ ଆମଦାନୀ ଶୁଳ୍କ ହ୍ରାସ କରାଯାଇପାରିବ, ଯାହା ଚିକିତ୍ସା ଖର୍ଚ୍ଚ ହ୍ରାସ କରିବ।