ନୂଆଦିଲ୍ଲୀ,୨ା୯: ଫାଣ୍ଟାସି ସ୍ପୋଟର୍ସ କମ୍ପାନୀ ଡ୍ରିମ୍ ୧୧ ଓହରିବା ପରେ ଭାରତୀୟ କ୍ରିକେଟ୍ ଦଳର ଟାଇଟଲ ସ୍ପନସରଶିପ୍ ଅଧିକାର ଲାଗି ବିସିସିଆଇ ମଙ୍ଗଳବାର ବିଡ୍ସ ଆମନ୍ତ୍ରଣ କରିଛି। ସରକାରଙ୍କ ପକ୍ଷରୁ ବ୍ୟାନ୍ କରାଯିବା ପରେ ଏହି ବିଡ୍ସ ପ୍ରକ୍ରିୟାରୁ ରିୟଲ ମନି ଗେମିଂ ଓ କ୍ରିପ୍ଟୋ କରେନ୍ସି କମ୍ପାନୀକୁ ବାଦ୍ କରାଯାଇଛି।
ଆସନ୍ତା ୯ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁଥିବା ଏସିଆ କପ୍ରେ ଭାରତୀୟ ଦଳ ବିନା ଟାଇଟଲ ସ୍ପନସର୍ରେ ଖେଳିବ। ବୋର୍ଡ ପକ୍ଷରୁ ଆସନ୍ତା ୧୬ ତାରିଖକୁ ବିଡ୍ସ ଦାଖଲର ଅନ୍ତିମ ଦିନ ଧାର୍ଯ୍ୟ କରାଯାଇଛି। ପ୍ରମୋଶନ ଓ ରେଗୁଲେଶନ ଅଫ୍ ଅନ୍ଲାଇନ୍ ଗେମିଂ ୨୦୨୫ ଆଇନ କାରଣରୁ ଡ୍ରିମ୍ ୧୧ ଭଳି ରିୟଲ ମନି ଗେମିଂ ଦେଶରେ ବ୍ୟାନ୍ ହୋଇଯାଇଛି। ଡ୍ରିମ୍ ୧୧ ଓ ମାଈଁ ୧୧ ସର୍କଲ ଭଳି କମ୍ପାନୀଠାରୁ ବିସିସିଆଇକୁ ପ୍ରାୟ ୧୦୦୦ କୋଟି ଟଙ୍କା ମିଳୁଥିଲା। ଦୁହେଁ ଯଥାକ୍ରମେ ଭାରତୀୟ କ୍ରିକେଟ୍ ଦଳ ଓ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ)ର ଟାଇଟଲ ସ୍ପନସର ଥିଲେ।