ଭୂଷଣ୍ଡେଶ୍ୱର-ଚନ୍ଦନେଶ୍ୱରଙ୍କଠାରେ ଜାଗର ଜାଳିଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଭୋଗରାଇ,୨୬ା୨(ପ୍ରଦୀପ ଦାସ): ମହାଶିବରାତ୍ରିରେ ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମହାଦେବ ମନ୍ଦିର। ଏଭଳି ସ୍ଥିତିରେ ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ଓ ଏସିଆର ସର୍ବବୃହତ ଶିବଲିଙ୍ଗ ଭୂଷଣ୍ଡେଶ୍ୱର ମନ୍ଦିର ସମେତ ବାଲେଶ୍ୱର ଜିଲାର ସମସ୍ତ ଶୈବପୀଠରେ ଚିରାଚରିତ ଧର୍ମୀୟ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶୈବଭକ୍ତଙ୍କ ଗହଳି ଲାଗିଛି। ଭୋଗରାଇ ସୀମାନ୍ତ ହୁଗୁଳି ଗ୍ରାମର କୂଳ ପାଉ ନ ଥିବା ଜଳଯନ୍ତ୍ର ଦେବତା ଚନ୍ଦନେଶ୍ୱର ଓ ସୁବର୍ଣ୍ଣରେଖା ନଦୀ ପାର୍ଶ୍ୱସ୍ଥ କୁମ୍ଭୀରଗଡ଼ି ପାହି ଅଞ୍ଚଳର ବିଶ୍ୱ ବିଖ୍ୟାତ ବିଶାଳକାୟ ଶିବଲିଙ୍ଗ ଭୂଷଣ୍ଡେଶ୍ୱର ମହାଦେବଙ୍କ ସହ ଶତାଧିକ ଶୈବପୀଠରେ ପ୍ରତ୍ୟୁଷରୁ ଶୈବଭକ୍ତଙ୍କ ପୂଜାର୍ଚ୍ଚନା, ଜଳାଭିଷେକ, ନୀତିକାନ୍ତ ପୂଜାପାଠ, ରୁଦ୍ରାଭିଷେକରେ ସମଗ୍ର ଅଞ୍ଚଳ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଭୂଷଣ୍ଡେଶ୍ୱର ମହାଦେବଙ୍କଠାରେ ସନ୍ଧ୍ୟା ୬ଟାରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରଥମକରି ଲକ୍ଷାଧିକ ଦୀପ ଜାଳି ଶ୍ରଦ୍ଧାଳୁମାନେ ଶଙ୍କରଙ୍କୁ ଆରାଧନା କରିଥିଲେ। ଭକ୍ତଙ୍କ ପ୍ରବଳ ଭିଡରେ ସେବାୟତ ଓ ପୋଲିସ ଏକ ପ୍ରକାର ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ଦୂରଦୂରାନ୍ତରୁ ଜାଗର ଜଳିବାକୁ ଆସିଥିବା ଶୈବଭକ୍ତଙ୍କ ଆଗମନରେ ଚନ୍ଦନେଶ୍ୱର, ଭୂଷଣ୍ଡେଶ୍ୱର ମନ୍ଦିର ଭକ୍ତମୟ ହୋଇଥିଲା। ଭୋଗରାଇ ଚୌକି ଗ୍ରାମର ନୀଳକଣ୍ଠେଶର, ଦେଉଳାହାଟରେ ଅନନ୍ତ ପୁରୁଷୋତ୍ତମ, ଭୋଗରାଇ ଓ କମର୍ଦ୍ଦାରେ ବାରଦେଉଳି, କୁମ୍ଭାରମୂଳିରେ ଧବଳେଶ୍ୱର, କଳାହିରେ ସିଦ୍ଧେଶ୍ୱର, କୁସୁଡ଼ାରେ ବଡ଼ ଆରୁହାବୃତ୍ତିରେ ଅଷ୍ଟଶମ୍ଭୁ ସହିତ ପସରବିନ୍ଧା, ଭୋଗରାଇ ଲକ, ମହେଶ୍ୱରପୁର, ବାଉଁଶଡିହା ଗ୍ରାମୀଣ ମହାଦେବଙ୍କଠାରେ ଶୈବଭକ୍ତମାନେ ଆରାଧନା କରିଥିଲେ। ସମସ୍ତ ଶୈବପୀଠରେ ଫୁଲମାଳ, ଦୀପ ପ୍ରଜ୍ଜଳନ ସହିତ ରଙ୍ଗୀନ ବିଦ୍ୟୁତ ଆଲୋକମାଳାରେ ମହାଦେବ ମନ୍ଦିର ଝଲସୁଥିବା ବେଳେ ଭୋର ୪ଟା ୧୫ରେ ମହାଦୀପ ଉଠିବା ପରେ ବ୍ରତଚାରୀମାନେ ମହାଦେବଙ୍କ ପଞ୍ଚାମୃତ ପାନ କରି ମନସ୍କାମନା ପୂର୍ବକ ବ୍ରତ ଶେଷ କରିବେ।

ଭୂଷଣ୍ଡେଶ୍ୱର ମହାଦେବ ଟ୍ରଷ୍ଟ ବୋର୍ଡ଼ ଏବଂ ପରିଚାଳନା କମିଟିର ସଦସ୍ୟମାନେ ଅକ୍ଳାନ୍ତ ଉଦ୍ୟମରେ ଚଳିତବର୍ଷ ଏଠାରେ ୧ ଲକ୍ଷ ଦୀପ ଜାଳି ଶ୍ରଦ୍ଧାଳୁମାନେ ଭିନ୍ନ ଆକର୍ଷଣ ସୃଷ୍ଟି କରିଥିଲେ। ମହାଶିବ ରାତ୍ରିରେ ମହାଦେବଙ୍କଠାରେ ଧାର୍ମିକ ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶ୍ରଦ୍ଧାଳୁଙ୍କ ନିମନ୍ତେ ପାନୀୟ ଜଳ, ସ୍ବାସ୍ଥ୍ୟସେବା,ଶୌଚାଗାର ପ୍ରତି ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ଚନ୍ଦନେଶ୍ୱରରେ ସାଢେ ୩ ପ୍ଲାଟୁନ ଓ ଭୂଷଣ୍ଡେଶ୍ୱର ମନ୍ଦିରରେ ସାଢେ ୨ ପ୍ଲାଟୁନ ପୋଲିସ ଫୋର୍ସ ୩୨ ଅଫିସର, ୨୦ କନଷ୍ଟେବଳ, ୩୯ ହୋମଗାର୍ଡ ମୁତୟନ ହୋଇଥିବାର ଜଳେଶ୍ୱର ଏସ୍‌ଡିପିଓ ଦିଲ୍ଲୀପ କୁମାର ସାହୁ ସୂଚନା ଦେଇଥିଲେ। ବାଲେଶ୍ୱର ଏସ୍‌ପି ରାଜ ପ୍ରସାଦ ପ୍ରସିଦ୍ଧ ୨ ଶୈବପୀଠରେ ଆଇନଶୃଙ୍ଖଳା ପ୍ରତି କଡ଼ା ନଜର ରଖିଥିଲେ।