ଜନମନ ଯୋଜନାରେ ସାମିଲ କରାଯାଉ ଜିଲାପାଳଙ୍କୁ ଦାବିପତ୍ର ଦେଲେ ୩ ପଞ୍ଚାୟତର ଭୂଞ୍ଜିଆ ସମ୍ପ୍ରଦାୟ ଲୋକେ

ନୂଆପଡ଼ା,୬।୮ (ମକାରୁ ବେମାଲ): ଆଦିମ ଜନଜାତି ଭୂଞ୍ଜିଆ ସମ୍ପ୍ରଦାୟର ଲୋକେ ନୂଆପଡ଼ା ଜିଲାର ବିଭିନ୍ନ ବ୍ଲକର ୨୧ ଗାଁରେ ବସବାସ କରନ୍ତି। ସେମାନଙ୍କ ପାଇଁ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଘର ତିଆରି କରିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଜିଲାର କେତେକ ପଞ୍ଚାୟତର ଭୂଞ୍ଜିଆ ଏଥିରେ ସାମିଲ ହୋଇଥିବାବେଳେ କୋମନା ଓ ବୋଡେନ ବ୍ଲକର ୩ ପଞ୍ଚାୟତର ଭୂଞ୍ଜିଆ ସମ୍ପ୍ରଦାୟ ଅଧିବାସୀ ଏଥିରୁ ବଞ୍ଚତ୍ତ ହୋଇଛନ୍ତି। ମଙ୍ଗଳବାର ଏହି ୩ ପଞ୍ଚାୟତର ଭୂଞ୍ଜିଆ ସମ୍ପ୍ରଦାୟ ଜିଲାପାଳ ମଧୁସୂଦନ ଦାଶଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନା ଅନୁଯାୟୀ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏସ୍‌ଓପି ଏଫ୍‌ ନଂ-୧୮୦୧୫/୨୮/୨୦୨୨ରେ ପିଭିଟିଜି ମାଧ୍ୟମରେ ଜାରି ବିଜ୍ଞପ୍ତି ଅନୁଯାୟୀ ଆଦିମ ଜନଜାତି ଭୂଞ୍ଜିଆ ସମ୍ପ୍ରଦାୟର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଘର ତିଆର କରିବା ପାଇଁ ଦିଆଯିବ। ସେହି ଅନୁଯାୟୀ ବ୍ଲକ ଓ ପଞ୍ଚାୟତ ସ୍ତରୀୟ କର୍ମଚାରୀ ଘର ଘର ବୁଲି ସର୍ଭେ କରି ଜିଓଟ୍ୟାଗ ମଧ୍ୟ କରିଛନ୍ତି। ଏହି ଯୋଜନାରେ ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତର ଭୂଞ୍ଜିଆମାନଙ୍କୁ ସାମିଲ କରି ଘର ଦିଆଯାଉଛି। ହେଲେ କୋମନା ବ୍ଲକର ଦେଓଦର୍ହା ଓ ରଜନା ପଞ୍ଚାୟତ, ବୋଡେନ ବ୍ଲକର ନାଗପଡା ପଞ୍ଚାୟତରେ ବସବାସ କରୁଥିବା ଭୂଞ୍ଜିଆମାନେ ବଞ୍ଚତ୍ତ ରହିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି, ନୂଆପଡା ଜିଲାର ୨୧ ଗାଁରେ ବସବାସ କରୁଥିବା ସବୁ ଭୂଞ୍ଜିଆ ଏକ ପ୍ରକାର। ଆଧାର କାର୍ଡ, ଭୋଟର କାର୍ଡ, ଜମି ପଟ୍ଟା ଭଳି ପ୍ରମାଣପତ୍ରରେ ମଧ୍ୟ ଗୋଟିଏ ଭୂଞ୍ଜିଆ ଲେଖାଯାଉଛି।ଏହି ବିଷୟରେ ପୂର୍ବରୁ ଜିଲା ପ୍ରଶାସନଠାରୁ ପୂର୍ବ ସରକାରଙ୍କୁ ଅବଗତ କରାଯାଇଥିଲା। ଯାହା ଫଳରେ କୋଭିଡ-୧୯ ସମୟରେ ତଦନ୍ତ କରି ୫ ପଞ୍ଚାୟତର ଭୂଞ୍ଜିଆଙ୍କୁି ୫ ହଜାର ଟଙ୍କା ଲେଖାଏ କରୁଣା ସହାୟତା ମିଳିଥିଲା ା ଏବେ ୨ ପଞ୍ଚାୟତର ଲୋକେ ସୁବିଧା ପାଉଥିବାବେଳେ ୩ ପଞ୍ଚାୟତର ଭୂଞ୍ଜିଆମାନଙ୍କୁ କେଉଁ କାରଣରୁ ବଞ୍ଚତ୍ତ କରାଯାଉଛି ବୋଲି ପ୍ରଶ୍ନକରି ଯୋଜନାରେ ସାମିଲ କରାଯାଉ ବୋଲି ଦାବି କରିଛନ୍ତି। ଏହି ସମୟରେ ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ, ଜୟ ସିଂ ଚିନ୍ଦା, ଅତବଲ ଚିନ୍ଦା, ଦେବରାଜ ଚିନ୍ଦା, ଟିକଚନ ଚିନ୍ଦା, ଘାସିରାମ ଚିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ।