ଧୁମଧାମରେ ପାଳନ ହୋଇଛି ଭୋଗୀ ଉତ୍ସବ:  ଚଳଚଞ୍ଚଳ ଗଜପତି 

ଗଜପତି,୧୪।୧(ଗିରିଧାରୀ ପରିଛା): ମକର ସଂକ୍ରାନ୍ତିନେଇ ପାରଳାଖେମୁଣ୍ଡି ସହର ଓ ଏହାର ଆଖପାଖ ଅଞ୍ଚଳରେ ଧୁମଧାମରେ ପାଳନ କରୁଛନ୍ତି ଗଜପତିବାସୀ। ପାରଳାଖେମୁଣ୍ଡି ସହରରେ ତେଲୁଗୁ ଭାଷାଭାଷୀର ଲୋକେ ରହୁଥିବାରୁ ଉଭୟ ଓଡ଼ିଆ ଓ ତେଲୁଗୁ ସମ୍ପ୍ରଦାୟ ମିଶି ଭୋଗୀ ଉତ୍ସବ ପାଳନ କରିଛନ୍ତି।
ମକର ସଂକ୍ରାନ୍ତିକୁ ବିଭିନ୍ନ ରାଜ୍ୟରେ ଭିନ୍ନ ନାମରେ ନିଜ ପରମ୍ପରା ମୁତାବକ ପାଳନ କରାଯାଏ। ତେବେ ଗଜପତ ି ଜିଲାରେ ତେଲୁଗୁ ଭାଷାଭାଷୀ ରହୁଥିବାରୁ ଏଠାରେ ଉଭୟ ତେଲୁଗୁ ଓ ଓଡ଼ିଆ ସମ୍ପ୍ରଦାୟ ମିଳିତ ଭାବରେ ଭୋଗୀ ଓ ମକର ପାଳନ କରାଯାଉଛି ।
ଏହି ପର୍ବକୁ ତେଲୁଗୁ ସଂପ୍ରଦାୟର ଲୋକେ ୪ ଦିନ ଧରି ପାଳନ କରିଥାନ୍ତି। ଜିଲାର ସମସ୍ତ ବ୍ଲକରେ ମଧ୍ୟ ସମାନ ଭାବରେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ଯିଏ ଯେଉଁଠି ଥିଲେ ମଧ୍ୟ ଏହି ଉତ୍ସବରେ ସାମିଲ ହେବା ପାଇଁ ସମସ୍ତେ ଘର ମୁହାଁ ହୋଇଥାନ୍ତି । ତେଲୁଗୁ ଏବଂ ଓଡିଆ ଭାଷାଭାଷୀ ଉଭୟଙ୍କ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେଇ ମିଳିମିଶି ପାଳନ କରିଆସୁଛନ୍ତି । ମକର ଉତ୍ସବକୁ ଓଡ଼ିଆମାନେ ମକର ଚାଉଳ ଭୋଗ ଲାଗି କରି ପାଳନ କରୁଥିବା ବେଳେ ଏହାକୁ ତେଲୁଗୁମାନେ ମଧ୍ୟ ପାଳନ କରିଥାନ୍ତି ।
ସେହିଭଳି ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବଭାବେ ପରିଚିତ ପୋଙ୍ଗଲକୁ ତେଲୁଗୁମାନେ ଧୁମଧାମରେ ପାଳନ କରୁଥିବା ବେଳେ ଓଡିଆମାନେ ମଧ୍ୟ ଏହାକୁ ପାଳନ କରିଥାନ୍ତି। ଏହି ପର୍ବର ପ୍ରଥମ ଦିନକୁ ଭୋଗୀ(BHOGI) କୁହାଯାଇଥାଏ। ମଙ୍ଗଳବାର ଦିନ ବିଳମ୍ବିତ ରାତ୍ରରେ ବଡ ବଡ କାଠଗଣ୍ଡିରେ ନିଆଁ ଲଗାଇ ଅଗ୍ନି ଦେବତାଙ୍କୁ ପୂଜାର୍ଚ୍ଚାନା କରାଯାଇଥିବା ବେଳେ ଦ୍ବିତୀୟ ଦିନରେ ପାଣ୍ଡୁକୁ ପାଳନ କରିଥାନ୍ତି । ଏହି ଦିନ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ ।
ସେହିଭଳି ତୃତୀୟ ଓ ଚତୁର୍ଥ ଦିନ କାନୁମୁ ଓ ମୁକାନୁମୁ ପାଳନ ହୋଇଥାଏ। ଏହି ସମୟରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଖାଇବାର ମଜା ଉଠାଇଥାନ୍ତି । ଏହି ଉତ୍ସବ ପାଳନର ୨ଟି କାରଣ ରହିଥିବା କୁହାଯାଏ । ପିତୃପୁରୁଷଙ୍କ ପିଣ୍ଡଦାନ ପାଇଁ ଏହାକୁ ପାଳନ କରାଯାଉଥିବା ବେଳେ ଅନ୍ୟଟି ହେଉଛି ନୂତନ ଭାବେ ଅମଳ ହୋଇଥିବା ଫସଲକୁ ଠାକୁର ଏବଂ ପିତୃ ପୁରୁଷଙ୍କ ନିକଟରେ ଲାଗି କରାଯାଏ।
Dharitri – Odisha’s No.1 Odia Daily

Share