ଆବଶ୍ୟକ ପଡ଼ନ୍ତିନି ପୂଜକ, ମା’ଙ୍କୁ ନିଜ ହାତରେ ଶ୍ରଦ୍ଧାଳୁ ଖୁଆନ୍ତି ଭୋଗ

ତାଳଚେର,୧୧ା୪(ମନୋଜ ନନ୍ଦ): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ଅଗ୍ନିରୂପା ହିଙ୍ଗୁଳାଙ୍କ ପ୍ରସିଦ୍ଧ ବାର୍ଷିକ ଯାତ୍ରା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଏହି ଯାତ୍ରା ଆରମ୍ଭ ହୁଏ। ଚଳିତ ବର୍ଷ ମା’ ମନ୍ଦିରର ପଶ୍ଚିମ ଦିଗ ଗୋପାଳପ୍ରସାଦ ହାଇସ୍କୁଲ ନିକଟରେ ଉଭା ହୋଇଛନ୍ତି। ଶୁକ୍ରବାର ଭୋର୍‌ଠାରୁ ଉଭାସ୍ଥଳ ନିକଟକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ଶ୍ରଦ୍ଧାଳୁମାନେ ଆଣି ଥିବା ଭୋଗକୁ ନିଜ ହାତରେ ମା’ ଅଗ୍ନିରୂପାଙ୍କୁ ଅର୍ପଣ କରିଥାନ୍ତି। ଏଠି ପୂଜକଙ୍କ ଲୋଡ଼ା ପଡ଼େ ନାହିଁ। ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସମସ୍ତେ ଏଠି ମା’ଙ୍କୁ ନିଜେ ଆଣି ଥିବା ନୈବେଦ୍ୟକୁ ସମର୍ପଣ କରିଥାନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।