କେନ୍ଦ୍ରାପଡ଼ା,୧୫ା୧୨ (ଜଗନ୍ନାଥ ଧଳ): ଏବେ ପିକ୍ନିକ୍ ଋତୁ ଆରମ୍ଭ ହୋଇଛି। ଏଥିସହ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଭୋଜି ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଜାତୀୟ ଉଦ୍ୟାନ ଭିତରକନିକା ଉପରେ ରହିଛି। ବନ୍ୟ ପ୍ରାଣୀ ବାର୍ହା, ହରିଣ, ଦେଶୀ ଓ ବିଦେଶାଗତ ପକ୍ଷୀ, ସାମୁଦ୍ରିକ ପ୍ରାଣୀ ଅଲିଭ୍ ରିଡ୍ଲେ ଆଦି ଏହି ପିକ୍ନିକ୍ ଋତୁରେ ସୁରକ୍ଷିତ ନୁହନ୍ତି। ଏଥିସହ ଏବେ ଭିତରକନିକା ସାମୁଦ୍ରିକ ଅଞ୍ଚଳରେ ପ୍ରଚୁର ମାଛ ଦେଖାଦେଉଥିବାରୁ ବେଆଇନ ବ୍ୟବସାୟୀଙ୍କ ଆଖି ପଡିଛି। କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ ପ୍ରାୟ ୧୩୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ମାଛ ଧରିବା ଅଭିଯୋଗରେ ଗିରଫ ହୋଇ ସାରିଲେଣି। ଆସନ୍ତା ପର୍ଯ୍ୟଟନ ସମୟ ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଭିତରକନିକାରେ ପଡିଛି ବୋଲି ସ୍ଥାନୀୟ ଅଞ୍ଚଳରେ ମତ ମିଳିଛି।
ରାଜନଗରର ବସନ୍ତ କୁମାର ହାତୀ କହିଛନ୍ତି, ଗତ ସପ୍ତାହକ ମଧ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ହୋଇଥିବା ବେଳେ ସମସ୍ତ ଅଞ୍ଚଳରେ ଭୋଜିଭାତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଶିକାରୀମାନେ ଶିକାର ଖୋଜିବାରେ ଲାଗି ପଡିଛନ୍ତି। ଭିତରକନିକାରେ ଏବେ ଦେଶୀ ବିଦେଶୀ ପକ୍ଷୀଙ୍କ ଭିଡ଼ ଲାଗିଛି। ସାଧାରଣରେ ଏହି ଶୀତଋତୁରେ ବିଦେଶୀ ପକ୍ଷୀଙ୍କ ସମାହାର ଏଠାରେ ଦେଖିବାକୁ ମିଳେ। ଭିତରକନିକା ଆଭ୍ୟନ୍ତର ଓ ବାହ୍ୟ ଅଞ୍ଚଳରେ ପକ୍ଷୀଙ୍କ ଶିକାର ଚାଲିଛି। ଏହାର ମାଂସ ନିକଟସ୍ଥ ବ୍ଲକ୍ ଅଞ୍ଚଳ ସମେତ ପାରାଦୀପ, ଧାମରା, ଯାଜପୁର ଆଦି ଅଞ୍ଚଳକୁ ଯାଉଛି। ଏହା ପ୍ରତିବର୍ଷର ଘଟଣାକୁ ଅନୁଧ୍ୟାନ କଲେ ଜଣାପଡୁଛି। ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବାର୍ହା, ହରିଣଠାରୁ ଆରମ୍ଭକରି ପ୍ରାଣୀ,ପକ୍ଷୀଙ୍କୁ ମାଂସ ପାଇଁ ଶିକାର ହେଉଛି। ଏଥିସହ ସାମୁଦ୍ରିକ ଜୀବଙ୍କୁ ଶିକାର କରାଯାଇ ଏହି ସମୟରେ ଶିକାରୀ ଭଲ ରୋଜଗାର କରୁଛନ୍ତି। ଦୋଳଗୋବିନ୍ଦ ଜେନା କହିଛନ୍ତି, ଯନ୍ତା ସହ କୁକୁରକୁ କେତେଜଣ ଶିକାରୀ ଶିକାର ସମୟରେ ବ୍ୟବହାର କରୁଛନ୍ତି। ସେହିପରି ବିରଳ ଅଲିଭ୍ ରିଡ୍ଲେ କଇଁଛ ଶିକାର ଚାଲିଥିବା ବେଳେ ବନ ବିଭାଗ ପକ୍ଷରୁ ଏ ନେଇ ଅଦ୍ୟାବଧି କୌଣସି ମାମଲାରେ ଏହାକୁ ଦର୍ଶାଯାଇ ନାହିଁ। ବଡ଼ଦିନ ଓ ନୂଆବର୍ଷ ପୂର୍ବରୁ ମାଂସ ପାଇଁ ଶିକାର ହେଉଥିବା ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏସିଏଫ୍ ମାନସ କୁମାର ଦାଶଙ୍କୁ ପଚାରିବାରେ ଚଳିତବର୍ଷ ବନ ବିଭାଗ ଶିକାରୀ ଓ ଶିକାର ସମ୍ପର୍କରେ ସତର୍କ ଅଛି। ବିଭିନ୍ନ ରେଞ୍ଜ ଅଫିସରଙ୍କୁ ଏ ସମ୍ପର୍କରେ ଆଲର୍ଟ କରାଯାଇଛି ବୋଲି ସେ କହିଛନ୍ତି।