Categories: Home Leftଖେଳ

ପଦକ ଜିତିବାରେ ଭବାନୀ ଦେବୀ ପ୍ରଥମ

ନୂଆଦିଲ୍ଲୀ, ୨୦ା୬ (ପି.ଟି.): ଅଲିମ୍ପିଆନ ସି.ଏ. ଭବାନୀ ଦେବୀ ଏସିଆନ ଚାମ୍ପିୟନଶିପ୍‌ରେ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଚାଇନାର ଓକ୍ସିଠାରେ ଅନୁଷ୍ଠିତ ଏହି କଣ୍ଟିନେଣ୍ଟାଲ ଇଭେଣ୍ଟର ମହିଳା ସାବ୍ରେ ସେମିଫାଇନାଲରେ ସେ ହାରିଯାଇଛନ୍ତି। ତେବେ ଏସିଆନ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଏକ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ବିବେଚିତ ହୋଇଛନ୍ତି। ଭବାନୀ ଏକ ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ଉଜ୍‌ବିକିସ୍ତାନର ଜେନାବ ଦାୟିବେକୋଭାଙ୍କଠାରୁ ୧୪-୧୫ରେ ହାରିଯାଇଛନ୍ତି। ଭବାନୀ ପୂର୍ବରୁ କ୍ୱାର୍ଟରପାଇନାଲରେ ବିଶ୍ୱ ଚାମ୍ପିୟନ ଜାପାନର ମିସାକି ଏମୁରାଙ୍କ ବିପକ୍ଷ ଲଢ଼େଇ ୧୫-୧୦ରେ ବିଜୟୀ ହୋଇଥିଲେ। ମିସାକି କାଇରୋଠାରେ ୨୦୨୨ରେ ଅନୁଷ୍ଠିତ ବିଶ୍ୱ ଫେନ୍‌ସିଂ ଚାମ୍ପିୟନଶିପ୍‌ ମହିଳା ସାବ୍ରେରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ମିସାକିଙ୍କ ବିପକ୍ଷରେ ଭବାନୀଙ୍କର ଏହା ହେଉଛି ପ୍ରଥମ ବିଜୟ। ପୂର୍ବରୁ ସେ ଜାପାନିଜଙ୍କ ବିପକ୍ଷ ସମସ୍ତ ମୁକାବିଲାରେ ପରାଜିତ ହୋଇଛନ୍ତି। ୨୯ ବର୍ଷୀୟା ଭବାନୀ ରାଉଣ୍ଡ ଅପ୍‌ ୧୬ରେ ବାଏ ପାଇବା ପରେ ପରବର୍ତ୍ତୀ ରାଉଣ୍ଡରେ କାଜାଖସ୍ତାନର ଦୋସ୍ପେ କାରିନାଙ୍କୁ ହରାଇ ଦେଇଥିଲେ। ପ୍ରି-କ୍ୱାର୍ଟରରେ ତୃତୀୟ ସିଡ୍‌ ଓଜାକି ସେରିଙ୍କ ବିପକ୍ଷରେ ବିଜୟ ହାସଲ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଏହି ଐତିହାସିକ ସଫଳତା ପାଇଁ ଫେନ୍‌ସିଂ ଆସୋସିଏଶନ ଅଫ୍‌ ଇଣ୍ଡିଆ ସେକ୍ରେଟାରି ଜେନେରାଲ ରାଜୀବ ମେହେଟା ଭବାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।