ବିପଦସଙ୍କୁଳ ଅବସ୍ଥାରେ ଭଟାପଲା କେନାଲ ପୋଲ: ଯାତାୟାତ ବାଧାପ୍ରାପ୍ତ

କର୍ଲାମୁଣ୍ଡା,୮ା୭ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଉତେଇ ଜଳସେଚନ ପ୍ରକଳ୍ପର ମୁଖ୍ୟକେନାଲର ଭଟାପଲା ଛକ ପାଖରେ ଥିବା ପୋଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଜଳସମ୍ପଦ ବିଭାଗ ପକ୍ଷରୁ ସତର୍କ ସୂଚନା ଥିବା ବୋର୍ଡ ଲଗାଯାଇଥିବାରୁ ଲୋକେ ଯାତାୟାତ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନାଲ ଖନନ ହେବା ସମୟରୁ ଅର୍ଥାତ୍‌ ସତୁରି ଦଶକରେ ଏହି ପୋଲ ନିର୍ମାଣ ହୋଇଥିଲା। ଏହି ପୋଲଦେଇ କର୍ଲାମୁଣ୍ଡା ବ୍ଲକର ରିଞ୍ଜା, ବୋରପଦର ପଞ୍ଚାୟତର ଶହ ଶହ ଲୋକ ପ୍ରତ୍ୟହ ଯାତାୟାତ କରିଥାନ୍ତି। ଏହି ରାସ୍ତାଦେଇ ମଦନପୁର, ରାମପୁର ଯିବା ପାଇଁ ଅଳ୍ପ ସମୟ ଲାଗିଥାଏ। ହେଲେ ବିଭାଗ ପକ୍ଷରୁ ବିପଦ ସତର୍କ ସୂଚନା ଥିବା ବୋର୍ଡ ଲାଗିବା ପରେ ଲୋକଙ୍କୁ ମଦନପୁର ଯିବା ପାଇଁ ୬କି.ମି. ସ୍ଥାନରେ ୨୦କି.ମି. ରାସ୍ତା ବୁଲି ଯିବାକୁ ପଡୁଛି। ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବାକୁ ବୋରପଦର ପଞ୍ଚାୟତବାସୀଙ୍କ ପକ୍ଷରୁ ସରପଞ୍ଚ ସୁବାସ ସାହୁ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏସ୍‌ଡିଓ)ଙ୍କୁ ପଚାରିବାରୁ ପୋଲ ବିପଦ ଥିବାରୁ ସତର୍କ ବୋର୍ଡ ଲଗାଯାଇଛି, ଖରିଫ ଚାଷ ପରେ ପୋଲର ପୁନରୁଦ୍ଧାର କରାଯିବ ବୋଲି ପ୍ରକାଶ କରିଛନ୍ତି।