ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ କୋଡ଼ ପ୍ରତ୍ୟାହାର ଦାବିରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ମିଳିତ ଆହ୍ବାନ କ୍ରମେ ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଦେଶବ୍ୟାପୀ ଭାରତ ବନ୍ଦ ପାଳନ ହେଉଛି। ସମ୍ବଲପୁର ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଛି।
ସମ୍ବଲପୁରରେ ବନ୍ଦ ପାଳନ ସମୟରେ ବିଭିନ୍ନ ଟ୍ରେଡ଼ ୟୁନିୟନ(ଶ୍ରମିକ ସଂଗଠନ)ଗୁଡ଼ିକ ପକ୍ଷରୁ ସ୍ଥାନେ ସ୍ଥାନେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ରାସ୍ତା ଘାଟ ଜାମ କରିବା ସହିତ ଦୋକାନ ବଜାର ଖୋଲିବାକୁ ଦେଇନାହାଁନ୍ତି। ଫଳରେ ସମ୍ବଲପୁର ସହରରେ ପ୍ରାୟ ସମସ୍ତ ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ପେଟ୍ରୋଲ ପମ୍ପ ଆଦି ବନ୍ଦ ରହିଛି। ସେହିପରି ବୀମା କାର୍ଯ୍ୟାଳୟ, ବ୍ୟାଙ୍କ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଆନ୍ଦୋଳନକାରୀମାନେ ପହଞ୍ଚି ବନ୍ଦ କରିଥିବା ଦେଖିବାକୁ ମିଳିଛି। ଅନୁରୂପ ଭାବେ କଚେରୀରେ ମଧ୍ୟ ପିକେଟିଂ କରି କୋର୍ଟ କାର୍ଯ୍ୟ ବନ୍ଦ ରଖିବାକୁ ବିଚାରପତିମାନଙ୍କୁ ଆନ୍ଦୋଳନକାରୀମାନେ ନିବେଦନ କରୁଥିବା ମଧ୍ୟ ପରିଲକ୍ଷିତ ହେଇଛି।
ଏପରିକି ହାତରେ ପତାକା, ପୋଷ୍ଟର ବ୍ୟାନର ଆଦି ଧରି ମନରେଗା ବଞ୍ଚାଓ, ଜି-ରାମ-ଜି ଆଇନକୁ ପ୍ରତ୍ୟାହାର, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ, ବିଦ୍ୟୁତ ବିଲ ସଂଶୋଧନ, କୃଷକ ବିରୋଧୀ ବିଲ-୨୦୨୫କୁ ବାତିଲ ଆଦି ଶ୍ରମିକ ଓ କୃଷକ ତଥା ଜନ ବିରୋଧୀ ଆଇନ ବାତିଲ ନାରା ଦେଇ ଆନ୍ଦୋଳନକାରୀମାନେ ସହରର ବିଭିନ୍ନ ରାସ୍ତା, ଛକରେ ରାସ୍ତା ଅବରୋଧ କରିଛନ୍ତି। ତେବେ ଔଷଧ ଦୋକାନ ଓ କେତେକ ଛୋଟଛୋଟ ଖାଦ୍ୟ ଷ୍ଟଲ ଖୋଲାଥିବା ବେଳ ସହରର ସମସ୍ତ ଦୋକାନ ବନ୍ଦ ରହିଛି।
ସେହିପରି କ୍ଷୀର ଗାଡି, ଆମ୍ବୁଲାନ୍ସ ସହ ସମସ୍ତ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆ ଯାଇଥିବା ଦେଖିବାକୁ ମିଳିଛି। ଅଇଁଠାପାଲି, ଧନୁପାଲି, ସିନ୍ଦୁରପଙ୍କ, ଚୌଧୁରୀ ଛକ, ରେମେଡ଼ଛକ ଆଦି ସମ୍ବଲପୁରର ସମସ୍ତ ପ୍ରବେଶ ପଥକୁ ସଂଯୋଗ କରୁଥିବା ବିଭିନ୍ନ ଜାତୀୟ ରାଜପଥ ଉପରେ ଭାରୀଯାନ ଗୁଡ଼ିକ ଲମ୍ବା ଲାଇନରେ ଛିଡ଼ା ହୋଇ ରହିଛନ୍ତି। ଫଳରେ ଜାତୀୟ ରାଜପଥ ଜାମର ଭ୍ରମ ସୃଷ୍ଟି କରିଛି। ଅଇଁଠାପାଲି ବସ ଟର୍ମିନାଲରେ ଉଭୟ ବେସରକାରୀ ଓ ଆମ ବସ ଗୁଡ଼ିକ ଛିଡ଼ା ହୋଇ ରହିଛି। ସହର ବାହାରେ କାଁ ଭାଁ କିଛି ଅଟୋ ଓ ଚାରିଚକିଆ ଯାନ ଚଳାଚଳ କରୁଥିବା ବେଳେ ସହର ମଧ୍ୟରେ ଚଳାଚଳ ବନ୍ଦ ରହିଛି। ତେବେ ଦୁଇ ଚକିଆ ଯାନ ଚଳାଚଳକୁ ବନ୍ଦକୁ ବାଦ ଦିଆଯାଇଛି। ଅପର ପକ୍ଷରେ ସୁରକ୍ଷା ଓ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ବରୂପ ବିଭିନ୍ନ ଛକରେ ପୋଲିସ ଅଧିକାରୀଙ୍କ ସହ ସୁରକ୍ଷାକର୍ମୀ ମୁତୟନ ହୋଇଥିବା ଦେଖାଯାଇଛି।