ଶାଳପତ୍ର ବିକ୍ରେତାଙ୍କୁ ଭେଟିଲା ଭଞ୍ଜସେନା

ମୋରଡ଼ା,୧୯।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଶନିବାର ଅପରାହ୍ନ ୨ଟାରେ ମୋରଡ଼ା ବ୍ଲକର ବିଭିନ୍ନ ଗ୍ରାମରେ ଶାଳପତ୍ର ବେଉସା କରୁଥିବା ପରିବାରକୁ ଭେଟିଛନ୍ତି। ଶାଳପତ୍ରରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖଲି ଓ ଦନାର ଚାହିଦା ଥିବାବେଳେ ବହୁ ଅଞ୍ଚଳରେ ଲକ୍ଷାଧିକ ଗରିବ ମହିଳା ଓ ପୁରୁଷ ଏହାକୁ ପ୍ରସ୍ତୁତ କରିଥାନ୍ତି। ମାତ୍ର ସରକାରଙ୍କ ଉଦାସୀନତା ଏବଂ ଉଚିତ୍‌ ବ୍ୟବସାୟୀକରଣ ନ ହେବା ଯୋଗୁ ଶିଳ୍ପବିହୀନ ଉକ୍ତ ଜିଲାରେ ଏହି କାର୍ଯ୍ୟ ଉପରେ ନିର୍ଭର କରୁଥିବା କାରିଗରମାନେ ଅଭାବ ଅନାଟନ ଭିତରେ ଦିନ ଅତିବାହିତ କରୁଛନ୍ତି। ଏହାକୁ ଲକ୍ଷ୍ୟରେ ରଖି ଦୀର୍ଘଦିନ ଧରି ଶାଳପତ୍ର ଏବଂ ଅନ୍ୟ ବନ୍ୟଜାତ ଦ୍ରବ୍ୟକୁ ନେଇ ଉଚିତ୍‌ ବ୍ୟବସାୟୀକରଣ କରିବା ନିମନ୍ତେ କୁଟୀର ଶିଳ୍ପ ମାଧ୍ୟମରେ ଲୋକଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଆନ୍ଦୋଳନରତ ଭଞ୍ଜସେନା ପକ୍ଷରୁ ପ୍ରତିଷ୍ଠାତା ଜେନା ମୋରଡ଼ା ବ୍ଲକ ଅଧୀନ ଗଡିଗାଁ, ଦାନ୍ତିଆମୁହାଁ ପଞ୍ଚାୟଗାଁତର ବିଭିନ୍ନ ଗ୍ରାମରେ ପହଞ୍ଚତ୍ଥିଲେ। ପ୍ରତ୍ୟେକ ଦିନ ଜଙ୍ଗଲରୁ ଶାଳପତ୍ର ତୋଳି ସେହି ‘ପତ୍ର ଟିପି’ ବେପାରୀଙ୍କୁ ବିକ୍ରି କରି ଯେଉଁ ପରିମାଣରେ ଅର୍ଥ ପାଉଛନ୍ତି, ଆଉ ସେତିକି ଅର୍ଥରେ କିଭଳି ସେମାନଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି ସେ ବୁଝିଥିଲେ। ସରକାର ଏଥିପ୍ରତି ପଦକ୍ଷେପ ଗ୍ରହଣ କରନ୍ତୁ କିମ୍ବା ନ କରନ୍ତୁ, ଆଗାମୀ ଦିନରେ ଏହି କୁଟୀର ଶିଳ୍ପକୁ ଆଗକୁ ବଢ଼ାଇବା ଓ ଏହା ମାଧ୍ୟମରେ ରୋଜଗାର ପାଉଥିବା ବ୍ୟକ୍ତିମାନଙ୍କ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ସଙ୍ଗଠନ ପ୍ରତିଶ୍ରୁତିବଦ୍ଧ ବୋଲି ଭଞ୍ଜସେନା ପ୍ରତିଷ୍ଠାତାଙ୍କ ସହ ଉପସ୍ଥିତ ବ୍ଲକ ସଭାପତି ପରିତୋଷ ବାରିକ କହିଛନ୍ତି।

 

Dharitri – Odisha’s No.1, Most Trusted Odia Daily