ଭଞ୍ଜନଗର,୧୧/୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ପାଇଁ ବୁଧବାର ଶୁଭ ସ୍ତମ୍ଭ ସ୍ଥାପନ ହୋଇଛି। ଏନେଇ ଠାକୁରାଣୀ ମନ୍ଦିର ଏବଂ କୁଲାଡ ବ୍ୟାଘ୍ର ଦେବୀ ମନ୍ଦିରରୁ ଶୋଭାଯାତ୍ରାରେ ବରଣମାଳା ଶୁଭ ସ୍ତମ୍ଭ ସ୍ଥାପନସ୍ଥଳକୁ ଅଣାଯାଇଥିଲା। ଏହାପରେ ପୂଜାର୍ଚ୍ଚନା ପରେ ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଥିଲା। ଏହି ସମୟରେ ଆତସବାଜି ସହ ପାରମ୍ପରିକ ନୃତ୍ୟ, ବାଦ୍ୟରେ ସହର ପ୍ରକମ୍ପିତ ହୋଇପଡ଼ିଥିଲା। ଯାତ୍ରାର ଉପଦେଷ୍ଟା ତଥା ଉପ ଜିଲାପାଳ ଉମାଶଙ୍କର ବେହେରା ବରଣ ମାଳା ଧରି ଶୁଭ ସ୍ତମ୍ଭ ସ୍ଥାପନ ସ୍ଥଳକୁ ଆସିଥିଲେ। ଏହି ସମୟରେ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା ତଥା ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ସଭାପତି ରାଜେନ୍ଦ୍ର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ। ପୁରୋହିତ ଉପେନ୍ଦ୍ର କୁମାର ମିଶ୍ର, ଜୟକୃଷ୍ଟ ମିଶ୍ର, ସୀମାଞ୍ଚଳ ମିଶ୍ର ପୂଜାର୍ଚ୍ଚନା କରିଥିଲେ।
ସୂଚନାଯୋଗ୍ୟ ଯେ, ଏପ୍ରିଲ ୨୬ ରେ ଦେବୀଙ୍କ ଆଗମନ ସହ ଯାତ୍ରା ଆରମ୍ଭ ହେବ। ମେ ୨୦ରେ ଯାତ୍ରା ଉଦଯାପିତ ହେବ । ଆଜି ଶୁଭ ସ୍ତମ୍ଭ ସ୍ଥାପନ ପରେ ସେଠାରେ ଏକ ସଭା ହୋଇଥିଲା। ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା ତଥା ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଚଳିତ ବର୍ଷ ଯାତ୍ରାର ୫୦ ପ୍ରତିଶତ ଖର୍ଚ୍ଚ ଯାତ୍ରା କମିଟି ବହନ କରିବ ବୋଲି କହିଥିଲେ। ଏଥିସହ ସରକାର ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବେ। ଚଳିତ ବର୍ଷର ଯାତ୍ରା ରାଜ୍ୟରେ ନୂଆ ଇତିହାସ ରଚିବ ବୋଲି ବିଧାୟକ କହିଥିଲେ। ବିଧାୟକ ଆହୁରି ମଧ୍ୟ କହିଥିଲେ ଯେ, ଭଞ୍ଜନଗର ଯାତ୍ରା ୨୦୦ ବର୍ଷର ପୁରୁଣା ଇତିହାସ ସହ ଜଡ଼ିତ। ପ୍ରତ୍ୟେକ ୱାର୍ଡ଼ରେ ଆଗାମୀ ଯାତ୍ରାରେ କଳାକୁଞ୍ଜ ହେବ । ଲୋକଙ୍କ ମତାମତକୁ ନେଇ ଯାତ୍ରା ହେବ। ଏଥିପାଇଁ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ ବିଧାୟକ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ତଥା ଉପ ଜିଲାପାଳ ଉମା ଶଙ୍କର ବେହେରା ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହ ଆକର୍ଷଣୀୟ ଭାବେ ହେବ ସେ ନେଇ କହିଥିଲେ।
ବିଡ଼ିଓ ଭାରତୀ ଦେବୀ, ତହସିଲଦାର ଅଭିପସା ପଟ୍ଟନାୟକ,ଏଏସପି ରଞ୍ଜନ କୁମାର ଦେ,ଏସ ଡିପିଓ ଡ ଦୀପକ କୁମାର ମିଶ୍ର, ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି, ଆଇଆଇସି ଜିବନାନନ୍ଦ ଜେନା, ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଟ ପଣ୍ଡା, ଆଇନଜୀବୀ ବିଷ୍ଠୁ ପ୍ରସାଦ ପ୍ରଧାନ, ଉପ ସଭାପତି ବିନୟ କୁମାର ରଥ, ଶାନ୍ତନୁ କୁମାର ଦାସ, ମୂରଲୀ ଧର ପଣ୍ଡା, ସଂଗଠନ ସଂପାଦକ ସୁଶାନ୍ତ ମହାପାତ୍ର,ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ବେହେରା, ଡି ଚେଲପତି ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଭଞ୍ଜନଗର ଠାକୁରାଣୀ ଯାତ୍ରା ପ୍ରତି ୩ ବର୍ଷକୁ ଥରେ ହେଉଛି। ୨୦୨୩ ମସିହା ମେ’ ମାସରେ ଗତ ଯାତ୍ରା ହୋଇଥିଲା। ଚଳିତ ବର୍ଷ ମଧ୍ୟ ଏପ୍ରିଲ ୨୬ ତାରିଖରୁ ଯାତ୍ରା ଆରମ୍ଭ ହୋଇ ମେ ମାସ ୨୦ ତାରିଖରେ ଯାତ୍ରା ସରିବ। ମେ ୧୯ ତାରିଖରେ ସିଂହ ବାହିନୀ ଯାତ୍ରା ହେବ । ୨୫ ଦିନ ଧରି ଯାତ୍ରା ଚାଲିବ। ଭଞ୍ଜନଗର ଠାକୁରାଣୀ ଯାତ୍ରାକୁ ଦୁଇଟି ଦେବୀଙ୍କୁ ନିମନ୍ତ୍ରଣ କରାଯାଏ। ପ୍ରଥମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଇଷ୍ଟଦେବୀ ବ୍ୟାଘ୍ର ଦେବୀଙ୍କୁ କୁଲାଡରୁ ଏକ ବିରାଟ ଶୋଭାଯାତ୍ରାରେ ଅଣାଯିବ। ଦେବୀଙ୍କୁ ଶଗଡ଼ରେ ବସାଇ ଦୀର୍ଘ ୮ କିମି ପର୍ଯ୍ୟନ୍ତ ଭଞ୍ଜନଗର ଅଣାଯିବ। ଏହି ସମୟରେ ରାସ୍ତାର ଉଭୟ ପାର୍ଶରେ ହଜାର ହଜାର ଲୋକ ଦେବୀଙ୍କୁ ପୂଜାର୍ଚ୍ଚନା କରିବେ। ଏହାପରେ ଦେବୀ ଭଞ୍ଜନଗର ବାଗଦେବୀ ମନ୍ଦିରଠାରେ କିଛି ସମୟ ବିଶ୍ରାମ ନେବାପରେ ବିଳମ୍ବିତ ସଂନ୍ଧ୍ୟାରେ ଦେବୀ ମୁଖ୍ୟ ସଡକରେ ହୋଇଥିବା ଅସ୍ଥାୟୀ ମଣ୍ଡପକୁ ଅଣାଯିବ। ଏହି ସମୟରେ ପାରମ୍ପରିକ ନୃତ୍ୟ, ଆତସବାଜି ରେ ସହର ପ୍ରକମ୍ପିତ ହୋଇପଡିବ। ବ୍ୟାଘ୍ରଦେବୀ ଅସ୍ଥାୟୀ ମଣ୍ଡପରେ ବିଶ୍ରାମ ନେବାପରେ ଭଞ୍ଜନଗର ଦେବୀ ଠାକୁରାଣୀଙ୍କୁ ନିମନ୍ତ୍ରଣ କରି ଅଣାଯିବ। ଏହି ପ୍ରକ୍ରିୟା ପ୍ରତ୍ୟୁଷ ପର୍ଯ୍ୟନ୍ତ ଚାଲିବ। ୩ ବର୍ଷ ପରେ ପୁଣି ଯାତ୍ରା ହେଉଥିବା ଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଏବେଠୁ ଉତ୍ସାହ ପରିଲକ୍ଷିତ ହେଲାଣି ।