ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ନକଲି ସୁନା ବନ୍ଧକ ରଖି ୫ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ପୋଲିସ ବୁଧବାର ଗିରଫ କରିଛି। ସେ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ସମାପଲ୍ଲୀ ଗ୍ରାମର ତମାଳ ନାୟକ। ତାଙ୍କୁ ସାରେ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମାଞ୍ଜୁର ହେବାରୁ ଭଞ୍ଜନଗର ଜେଲ ହାଜତକୁ ପଠାଇ ଦିଆଯାଇଛି। ଢୁଢ଼ୁଆ, ଲାଲସିଂ,ବାଉଁଶଲୁଣ୍ଡିର ୫ ମହିଳାଙ୍କ ପାଖରେ ବନ୍ଧକ ଥିବା ନକଲି ସୁନାମାଳ ଜବତ ହୋଇଛି।
କିଛିମାସ ପୂର୍ବେ ତମାଳ ଢୁଢ଼ୁଆ ଗ୍ରାମକୁ ଆସି ଆଶା କର୍ମୀ କାଳିଆ ସେଠୀଙ୍କୁ ଏକ ସୁନାମାଳ ଦେଇ ତାହାକୁ ବନ୍ଧା ରଖି କିଛି ଟଙ୍କା ଦେବାକୁ କହିଥିଲେ। ଝିଅପୁଅଙ୍କ ଦେହ ଭଲ ନାହିଁ କହି ଟଙ୍କା ମାଗିଥିବାରୁ କାଳିଆ ମାଳ ରଖି ତାଙ୍କୁ ୧୫ ହଜାର ଟଙ୍କା ଦେଇଥିଲେ। ଏହାପରେ ଏବଂ ପୂର୍ବରୁ ତମାଳ ଆଉ ୪ ଜଣଙ୍କୁ ମଧ୍ୟ ନକଲି ସୁନା ମାଳି ଦେଇ ଟଙ୍କା ଠକି ନେଇଥିଲେ। କିଛିଦିନ ପରେ ସେ ଗ୍ରାମକୁ ଆଉ ଆସି ନ ଥିଲେ। କାଳିଆ ସନ୍ଦେହରେ ସୁନାମାଳଟିକୁ ଯାଞ୍ଚ କରିବା ପରେ ତାହା ନକଲି ବୋଲି ଜଣାପଡ଼ିଥିଲା। ଏ ନେଇ ଦେଇ ସେ ଗତ ୧୨ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ତମାଳଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ଥିବା ଆଶଙ୍କା କରି ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।