ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ରବିବାର ଓଡିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧି ସାଧନରେ ଭଞ୍ଜନଗରର ଭୂମିକା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଭଞ୍ଜ ସାହିତ୍ୟର ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଯେତିକି ପ୍ରଚାର ଓ ପ୍ରସାର ହେବାକଥା ହୋଇନାହିଁ। ଏ ମାଟିର ଭଞ୍ଜ ସାହିତ୍ୟର ଆଦର ରହିଛି। ଓଡିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧି ସାଧନରେ ଭଞ୍ଜନଗରର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ବକ୍ତାମାନେ କହିଥିଲେ ।
ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଲୋହରାଖଣ୍ଡି ସାହିତ୍ୟ ସଂସଦର ମିଳିତ ସହଯୋଗରେ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ହୋଇଥିଲା। ମୁଖ୍ୟଅତିଥି ଭାବେ ମ୍ୟୁନିସିପାଲଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଯୋଗାନନ୍ଦ ସାହୁ, କବି ତଥା ସୁସାହିତ୍ୟିକ ପ୍ରଶାନ୍ତ ମହାନ୍ତି, ଡକ୍ଟର ଲମ୍ବୋଦର ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ବି.ଜେ.ବି ସ୍ଵୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର କାହ୍ନୁଚରଣ ପାଢ଼ୀ, ସୁସାହିତ୍ୟିକ ମୋତିଲାଲ ପତି,ଯୁଗ୍ମ ସଂପାଦକ ସଞ୍ଜୟ କୁମାର ଛୁଆଲସିଂହ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ସଭାପତି ଡକ୍ଟର ଅଶୋକ କୁମାର ଷଡ଼ଙ୍ଗୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଲୋହରାଖଣ୍ଡି ସାହିତ୍ୟ ସଂସଦ ସାଧାରଣ ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା ସଭାକୁ ପରିଚାଳନା କରିଥିଲେ । ଅପରାହ୍ନରେ କବିତା ପାଠୋତ୍ସବ ହୋଇଥିଲା । କବି ନେତାଜୀ ବିଷୋୟୀ, ତ୍ରିନାଥ ବେହେରା, ସସ୍ମିତା ଦାସ, କାର୍ଯ୍ୟକାରି ସଭାପତି ପ୍ରଦୀପ କୁମାର ସ୍ୱାଇଁ,କବୟିତ୍ରୀ କଳ୍ପନା କୁମାର ପ୍ରଧାନ, ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ପ୍ରମୁଖ କବିତା ପାଠ କରିଥିଲେ। ଲୋପାମୁଦ୍ରା ରଥ ଧନ୍ୟବାଦ୍ ପ୍ରଦାନ କରିଥିଲେ ।