ହୋଟେଲରେ ବିକୁଛନ୍ତି ବାସିଖାଦ୍ୟ, ଟ୍ରେଡ୍‌ ଲାଇସେନ୍ସ ନାହିଁ: ଚଢ଼ାଉ ଜୋରଦାର କଲା ଭଞ୍ଜନଗର NAC , ୭ ଦୋକାନ…

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସି ପକ୍ଷରୁ ଶନିବାର ଶତାଧିକ ଦୋକାନ ଉପରେ ଅତର୍କିତ ଚଢ଼ାଉ କରାଯାଇଛି। ବେନିୟମ ଭାବେ ଦୋକାନ ଖୋଲିବା, ହୋଟେଲରେ ନିମ୍ନ ମାନର ଖାଦ୍ୟ ବିକ୍ରି କରିବା, ଟ୍ରେଡ ଲାଇସେନ୍ସ ନ ରଖିବା, ପଲିଥିନ ବ୍ୟବହାର କରିବା ପ୍ରମୁଖ ଅଭିଯୋଗରେ ସହରର ଶତାଧିକ ଦୋକାନ, ହୋଟେଲ ଉପରେ ଶନିବାର ଦିନ ତମାମ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଅନିୟମିତତା ଅଭିଯୋଗରେ ୭ଟି ଦୋକାନକୁ ସିଲ କରାଯାଇଛି। ଏଥିସହ ଅନେକ ଦୋକାନୀ ଉପରେ ଜରିମାନା ଲଗାଯାଇଛି। ସା ସୁଦ୍ଧା ୪୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ଅନେକ ବ୍ୟବସାୟୀ ଖବର ଲେଖା ହେବା ବେଳକୁ ଜରିମାନା ଅର୍ଥ ଜମା କରିବା ପାଇଁ ଏନ୍‌ଏସି କାର୍ଯ୍ୟାଳୟରେ ଭିଡ ଲଗାଇଛନ୍ତି। ଏଥିସହ ବକେୟା ଘର ଭଡ଼ା ବାବଦକୁ ୬୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଏବଂ ଗୃହ ଟିକସ ବାବଦକୁ ୭୦ ହଜାରରୁ ଉର୍ଦ୍ଧ ଟଙ୍କା ଆଦାୟ କରାଯାଇଛି।
ଏନ୍‌ଏସି ପକ୍ଷରୁ ଏହିଭଳି ଚଢାଉ ଯୋଗୁ ବେନିୟମ ଭାବେ ବ୍ୟବସାୟ ପ୍ରତିଷ୍ଠାନ ଚଳାଉଥିବା ବ୍ୟବସାୟୀ ମାନେ ଆତଙ୍କିତ ହୋଇପଡିଛନ୍ତି। ଅନେକ ବ୍ୟବସାୟୀ ଚଢାଉ ଆରମ୍ଭ ଦେଖି ଦୋକାନ ବନ୍ଦ କରି କେଉଁ ଆଡ଼େ ଫେରାର ହୋଇଯାଇଥିଲେ। ଅପରପକ୍ଷେ ଏହିଭଳି ଚଢାଉକୁ ନେଇ ସହରବାସୀ ଖୁସି ବ୍ୟକ୍ତ କରିଛନ୍ତି। ଦୋକାନ ମାଲିକ ମାନେ ବର୍ଷ ବର୍ଷ ଧରି ବେନିୟମ ଭାବେ ବ୍ୟବସାୟ ପ୍ରତିଷ୍ଠାନ ଚଳାଉଥିବା ବେଳେ ଶେଷରେ ଏନ୍‌ଏ ସି କର୍ତ୍ତୃପକ୍ଷ କାର୍ଯ୍ୟନୁଷ୍ଠାନ ନେଇଛନ୍ତି। ଚଢ଼ାଉର ନେତୃତ୍ୱ ଭଞ୍ଜନଗର ଏନଏସି ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା ନେଇଥିଲେ । ମାଜିଷ୍ଟ୍ରେଟ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ଅବିନାଶ ମହାର ଥିଲେ।  ଥାନା ଅଧିକାରୀ ଜିବନାନନ୍ଦ ଜେନା ପ୍ରମୁଖ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଆଶଙ୍କାରେ ଉପସ୍ଥିତ ଥିଲେ।
ସବିଶେଷ ତଥ୍ୟ ଅନୁସାରେ ସହରର ଦୁଇଟି ଜଣାଶୁଣା ହୋଟେଲରେ ବାସି ଖାଦ୍ୟ ରଖି ବିକ୍ରି କରିବା ଏବଂ ଖାଦ୍ୟରେ ବେନିୟମ ଭାବେ ରଙ୍ଗ ବ୍ୟବହାର କରିବା ଅଭିଯୋଗରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି। ଏଥିସହ ଟ୍ରାଫିକ ସମସ୍ୟା ଯୋଗୁ ଶତାଧିକ ଉଠା ଦୋକାନୀଙ୍କୁ ଉଚ୍ଛେଦ କରଯାଇଛି। ସେମାନଙ୍କୁ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ବ୍ୟବସାୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବେନିୟମ ପଲିଥିନ ବ୍ୟବହାର ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ତେବେ ଚଢାଉ ସମୟରେ ବ୍ୟବସାୟୀ ଏବଂ ପ୍ରଶାସନ ମଧ୍ୟରେ କେତେକ ସ୍ଥାନରେ ଯୁକ୍ତି ତର୍କ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ପରିସ୍ଥିତି ବିଗିଡିବା ଦେଖି ପୋଲିସ ନିୟନ୍ତ୍ରଣ କରିନେଇଥିଲା। ଏନେଇ ନିର୍ବାହୀ ଅଧିକାରୀ ମୁରଲୀ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଏହିଭଳି ଚଢାଉ ଆଗାମୀ ଦିନରେ ଜୋରଦାର ହେବ। ଏଥିସହ ଯେଉଁ ମାନଙ୍କ ଫୁଡ ଲାଇସେନ୍ସ ନାହିଁ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଖୁବ ଶୀଘ୍ର ଫୁଡ ଇନ୍ସପେକ୍ଟର ଆଣି ଖାଦ୍ୟର ମାନ ଯାଞ୍ଚ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।