ଭଞ୍ଜନଗର,୭।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଗୁରୁବାର ରାଜ୍ୟ ସରକାର ଦୁଇଟି ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଥମଟି ଶିଶୁକୁ ପ୍ରଥମ ୬ ମାସ ପର୍ଯ୍ୟନ୍ତ ମା କ୍ଷୀର ଦେବା (ବେବି ଫ୍ରେଣ୍ଡଲି ) କ୍ଷେତ୍ରରେ ରାଜ୍ୟ ସ୍ତରରେ ଦ୍ୱିତୀୟ ସ୍ଥାନ ପୁରସ୍କାର ମିଳିଥିବା ବେଳେ ଅନ୍ୟଟି ପୃଷ୍ଟିହିନ ଶିଶୁଙ୍କ ଉପଯୁକ୍ତ ଯତ୍ନ ନେବା (ଏନ୍ଆରସି) ପାଇଁ ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ ପୁରସ୍କାର ମିଳିଛି। ଗୁରୁବାର ଭୁବନେଶ୍ୱରରେ ଅନୁଷ୍ଟିତ ଉତ୍ସବରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ପୁରସ୍କାର ପ୍ରଦାନ କରିଥିଲେ। ଏହି ସମୟରେ ମେଡିକାଲ ଅଧିକ୍ଷକ ଡାକ୍ତର ସିତାନସୁ ଶେଖର ଶତପଥୀ, ମେଡ଼ିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ ଯୋଗଦେଇ ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ।
ଏହି ଖବର ଭଞ୍ଜନଗର ମେଡ଼ିକାଲ ପାଇଁ ଖୁସି ଖବର ଆଣିଛି। ଅଞ୍ଚଳବାସୀ ମଧ୍ୟ ଏନେଇ ଖୁସିବ୍ୟକ୍ତ କରିଛନ୍ତି। ଉକ୍ତ ଦୁଇ ସେବା ଭଞ୍ଜନଗର ମେଡ଼ିକାଲରେ ଭଲ ମିଳୁଥିବା ଏଥିରୁ ଅନୁମାନ କରାଯାଉଛି। କିନ୍ତୁ ଅନ୍ୟପଟେ ମେଡ଼ିକାଲର ସାଧାରଣ ସ୍ବାସ୍ଥ୍ୟ ସେବା ସନ୍ତୋଷଜନକ ନାହିଁ। ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ନର୍ସ ସମେତ ଅନ୍ୟାନ୍ୟ ପଦବୀ ମଧ୍ୟ ଖାଲି ପଡ଼ିଛି। ଫଳରେ ବର୍ତ୍ତମାନ କାର୍ଯ୍ୟରତ ଡାକ୍ତର ଏବଂ ନର୍ସମାନଙ୍କ ଉପରେ କାର୍ଯ୍ୟ ଚାପ ବଢୁଛି। ଙ୍ତେଣୁ ଅନେକ ସମୟରେ ଭଞ୍ଜନଗର ମେଡିକାଲରୁ ରୋଗୀ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଉଛି । ପୁରସ୍କାର ମିଳିଥିବା ଦୁଇଟି ବିଭାଗରେ ସବୁ ଠିକ ଅଛି। ହେଲେ ଅନ୍ୟ ବିଭାଗ ଗୁଡ଼ିକର ମଧ୍ୟ ସମସ୍ୟାର ସମାଧାନ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ବେବି ଫ୍ରେଣ୍ଡଲୀ ପୁରସ୍କାର ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଗତବର୍ଷ ମଧ୍ୟ ଭଞ୍ଜନଗର ମେଡିକାଲକୁ ତୃତୀୟ ପୁରସ୍କାର ମିଳିଥିଲା। ଚଳିତ ବର୍ଷ ରାଜ୍ୟର ୬୭ ଏନ୍ଆରସି ସୁବିଧା ଥିବା ମେଡ଼ିକାଲକୁ ନେଇ ଏନ୍ଆର୍ସି ପୁରସ୍କାର ପ୍ରଦାନ ପାଇଁ ପ୍ରତିଯୋଗିତା
ହୋଇଥିଲା। ଏଥିରେ ଭଞ୍ଜନଗର ମେଡ଼ିକାଲକୁ ପୁରସ୍କାର ମିଳିଛି।