ଭଞ୍ଜନଗର,୧୯।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବି.ଏଡ୍. କଲେଜର ଜଣେ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ଅକାଳ ମୃତ୍ୟୁକୁ ନେଇ କଲେଜରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗୁରୁତର ଅସୁସ୍ଥ ସମୟରେ କିଛି ଶିକ୍ଷକ ମାନବିକତା ଭୁଲି ଯାଇ ସାହାଯ୍ୟ କରିନଥିବା ଅଭିଯୋଗ ହୋଇଛି, ଯାହା ଫଳରେ ଛାତ୍ରୀଙ୍କ ଜୀବନ ବଞ୍ଚାଯାଇ ପାରିଲା ନାହିଁ।
ବାଲେଶ୍ୱର ଜିଲାର ଉକ୍ତ ଛାତ୍ରୀ ଜଣକ ଲଣ୍ଡେଇସାହିରେ ଭଡ଼ା ଘରେ ରହୁଥିଲେ। ଗତ ରବିବାର ସନ୍ଧ୍ୟାରେ ସେ ବାଥ୍ରୁମ୍ରେ ପଡ଼ିଯିବାରୁ ଗୁରୁତର ହୋଇପଡ଼ିଥିଲେ। ତାଙ୍କ ଜୁନିୟର ସାଙ୍ଗମାନେ ତାଙ୍କୁ ତୁରନ୍ତ ଭଞ୍ଜନଗର ଡାକ୍ତରଖାନାକୁ ଆଣିଥିଲେ, ଯେଉଁଠାରେ ତାଙ୍କର ରକ୍ତଚାପ (BP) ୨୨୦ ଥିବା ଜଣାପଡ଼ିଥିଲା ଏବଂ ତାଙ୍କ ଡାହାଣ ହାତ ଓ ଗୋଡ଼ କାମ କରୁନଥିଲା। ଡାକ୍ତର ତାଙ୍କୁ ତୁରନ୍ତ ବ୍ରହ୍ମପୁର ନେବାକୁ ପରାମର୍ଶ ଦେଇଥିଲେ।
ଅସୁସ୍ଥ ଛାତ୍ରୀଙ୍କ ମାଆ ୪ ମାସ ପୂର୍ବରୁ ମୃତ୍ୟୁବରଣ କରିଥିବାରୁ ଏବଂ ବାପା ହଠାତ୍ ବାଲେଶ୍ୱରରୁ ଆସିପାରି ନ ଥିବାରୁ, ସାଙ୍ଗରେ ଥିବା ଜୁନିୟର ଛାତ୍ରୀମାନେ ବ୍ରହ୍ମପୁର ନେବା ପାଇଁ କିଛି ଶିକ୍ଷକଙ୍କ ସହଯୋଗ ଲୋଡ଼ିଥିଲେ। କିନ୍ତୁ ଶିକ୍ଷକମାନେ ରାତିରେ ମାନବିକତା ଦୃଷ୍ଟିକୋଣରୁ ସହାୟତା କରିବାକୁ ଆସିନଥିଲେ।
ସୋମବାର ସକାଳେ କିଛି ସ୍ୱେଚ୍ଛାସେବୀ ଓ ଛାତ୍ରୀଙ୍କ ବାପା ପହଞ୍ଚିବା ପରେ ଛାତ୍ରୀଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ତେବେ ଉପଯୁକ୍ତ ଚିକିତ୍ସା ବିଳମ୍ବ ହେବାରୁ ସେ ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।
ଏ ସମ୍ପର୍କରେ କଲେଜର ଅଧ୍ୟକ୍ଷ ଖୁଣ୍ଟିଆ କହିଛନ୍ତି ଯେ ସୋମବାର ରାତିରେ ତାଙ୍କ ଫୋନ୍ ଅଚଳ ଥିଲା। ମଙ୍ଗଳବାର ସକାଳେ ଖବର ପାଇ ସେ ଡାକ୍ତରଖାନା ଯାଇଥିଲେ।
ଶିକ୍ଷକଙ୍କ ଏପରି ଅବହେଳାକୁ ନେଇ କିଛି ଛାତ୍ରଛାତ୍ରୀ ବୁଧବାର ସୋସିଆଲ୍ ମିଡିଆରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ଏବଂ “ଜଣେ ଶିକ୍ଷକ ହେବା କେବଳ ଶିକ୍ଷାଦାନ ନୁହେଁ, ବରଂ ଦାୟିତ୍ୱ ଓ ମାନବିକତାର ପ୍ରତିଶ୍ରୁତି” ବୋଲି ଉଲ୍ଲେଖ କରିଛନ୍ତି।