ଭଞ୍ଜ ଟ୍ରଫି-୨୦୨୫: ବିହାରକୁ ହରାଇ ଫାଇନାଲରେ ସୁନ୍ଦରଗଡ଼

ଭଞ୍ଜନଗର,୨୬ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଚାଲିଥିବା ଭଞ୍ଜ ଟ୍ରଫି-୨୦୨୫ ଫୁଟବଲ ଟୁର୍ନାମେଣ୍ଟର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ବୁଧବାର ଅନୁଷ୍ଠିତ ହୋଇଥିଲା। ଏକ କଡ଼ା ମୁକାବିଲାରେ ସୁନ୍ଦରଗଡ଼ ଦୋସ୍ତି ବ୍ରଦରସ ବିହାର (ବକ୍ସର କାମାକ୍ଷା ସ୍ପୋର୍ଟସ କ୍ଲବ)କୁ ୪-୨ ଗୋଲ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଆଜିର ଖେଳ କଡ଼ା ସଂଘର୍ଷ ପୂର୍ଣ୍ଣ ହୋଇଥିଲା। ଖେଳ ଚାଲିଥିବା ସମୟରେ ହଠାତ୍‌ ଦୁଇ ଦଳର ଖେଳାଳି ମଧ୍ୟରେ ମୁହାଁମୁହିଁ ହୋଇଯାଇଥିଲେ। କଥା କଟାକଟି ପର୍ଯ୍ୟନ୍ତ ଯାଇଥିଲା। ଏହାପରେ ଆୟୋଜକ କର୍ମକର୍ତ୍ତା ଏଥିରେ ହସ୍ତକ୍ଷେପ କରିବା ପରେ ପରିବେଶ ଶାନ୍ତ ପଡ଼ିବା ସହ ଖେଳ ପୁଣି ଚାଲିଥିଲା। ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍ତେଜନା ଯୋଗୁ ଅଳ୍ପ କିଛି ସମୟ ଖେଳ ବ୍ୟାହତ ହୋଇଥିଲା।

ଆସନ୍ତାକାଲି(ଗୁରୁବାର)ସମ୍ବଲପୁର କୁଚିଣ୍ଡା (ବିଏଫ୍‌ସି)କୁ ଭଞ୍ଜନଗର ମରଠା ଏକାଦଶ ମଧ୍ୟରେ ଗ୍ରୁପ ବି’ର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ହେବ। ଆଜିର ମ୍ୟାଚ୍‌ରେ ଅତିଥି ଭାବେ ଭଞ୍ଜନଗର ଏଏସ୍‌ପି ରଞ୍ଜନ କୁମାର ଦେ, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ସୁଧୀର ରଞ୍ଜନ ବେହେରା, ଭଞ୍ଜନଗର ବାର ଆସୋସିଏଶନ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର, ଭାଜପା ନେତା ଶିବ ମହାପାତ୍ର, ମାନସ ଜେନା, ଧୀରେସ ମହାନ୍ତି ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କ ସହ ପରିଚିତ ହୋଇଥିଲେ। କୋଷାଧ୍ୟକ୍ଷ ଗିରିଜା ଭୂୟାଁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଆଜିର ମ୍ୟାଚ୍‌କୁ ରେଫରୀ ଦେବଦ୍ରତ ବେହେରା, ସୁଜିତ ରାଜହଂସ, ଦିଲ୍ଲୀପ କୁମାର ରାଉତ, ମ୍ୟାଚ୍‌ କମିଶନର ପି ଆନନ୍ଦ ରାଓ ଓ ପି ରମେଶ ପରିଚାଳନା କରିଥିଲେ।

Dharitri – Odisha’s No.1 Odia Daily