ପରଲୋକରେ ପଞ୍ଜାବୀ ଗାୟକ ବଲଓ୍ବିନ୍ଦର ସାଫରି

ଚଣ୍ଡିଗଡ଼,୨୭।୭: ଭାଙ୍ଗଡା ଷ୍ଟାର ନାମରେ ବେଶ୍‌ ଲୋକପ୍ରିୟ ପଞ୍ଜାବୀ ଗାୟକ ବଲୱିନ୍ଦର ସାଫରିଙ୍କ ପରଲୋକ। ୬୩ ବର୍ଷ ବୟସରେ ବୁଧବାର ତାଙ୍କର ପରଲୋକ ଘଟିଛି। ଗାୟକ ଗୁରୁ ରନ୍ଧାୱା ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ବଲଓ୍ବିନ୍ଦରଙ୍କ ସଙ୍ଗୀତ ଏବଂ ପଞ୍ଜାବୀ ସଙ୍ଗୀତରେ ତାଙ୍କର ଅବଦାନକୁ ସମସ୍ତେ ଚିରଦିନ ମନେରଖିବେ’। ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲରେ ହୃଦ୍‌ଘାତ ସମସ୍ୟା ହେବାରୁ ବଲଓ୍ବିନ୍ଦରଙ୍କୁ ବ୍ରିଟେନ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଟ୍ରିପଲ ବାଇପାସ ସର୍ଜରୀ ପରେ ସେ କୋମାକୁ ପଳାଇଥିଲେ। ହସ୍ପିଟାଲରେ ୮୬ ଦିନ ରହିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ଏବଂ ସେ ସୁସ୍ଥ ହୋଇଯିବେ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ ବୁଧବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।