ମୁଁ ଶ୍ରୀସନ୍ଥ ହେବାକୁ ଚାହେଁନା: ଏହି ଭାରତୀୟ ବୋଲରଙ୍କ ୭ ବର୍ଷ ପୁରୁଣା ବୟାନ ଏବେ ଚର୍ଚ୍ଚାରେ, ଭାଇରାଲ ହେଉଛି…

ନୂଆଦିଲ୍ଲୀ,୩।୩: ଭାରତୀୟ ଦ୍ରୁତ ବୋଲର୍‌ ନବଦୀପ ସାଇନି ଗତ କିଛି ବର୍ଷ ଧରି ନିଜ ବୋଲିଂକୁ ନେଇ ଖବର ଶିରୋନାମା ପାଲଟୁଛନ୍ତି। ସେ ନିଜ ଗତିକୁ ନେଇ ବିଶ୍ୱର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅସୁବିଧାରେ ପକାଉଛନ୍ତି। ଏଯାବତ ସେ ୨ ଟେଷ୍ଟ, ୭ ଦିନିକିଆ ଏବଂ ୧୦ ଟି୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିଛନ୍ତି। ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ଗସ୍ତରେ ସେ ଦଳରେ ସାମିଲ ଥିଲେ। ଆଜି ସଫଳତାର ସ୍ବାଦ ଚାଖୁଥିବା ସାଇନିଙ୍କ ସଂଘର୍ଷ କାହାଣୀ ବେଶ ଲମ୍ବା। ରାଷ୍ଟ୍ରୀୟ ଟିମ୍‌ରେ ପହଞ୍ଚିବା ପୂର୍ବରୁ ସାଇନି ବହୁତ ସଂଘର୍ଷ କରିଥିଲେ। ଏବେ ସେ ଦଳରୁ ଖେଳୁ ନ ଥିଲେ ହେଁ ଭିନ୍ନ ଏକ କାରଣକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ତାହା ହେଲା ଶ୍ରୀସନ୍ଥଙ୍କୁ ନେଇ ତାଙ୍କର ଏକ ବୟାନ।

୭ ବର୍ଷ ପୂର୍ବେ ୨୦୧୩ ଜୁଲାଇ ୪ରେ ଟ୍ରଫି ହାତରେ ଧରି ସାଇନି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ପ୍ରଶଂସକମାନେ ତାଙ୍କୁ ଦେଖି ଖୁସି ହେବା ସହ ‘ଜୁନିୟର ଶ୍ରୀସନ୍ଥ’ ବୋଲି ସମ୍ବୋଧନ କରିଥିଲେ। ଏହାର ଜବାବ ଦେଇ ସାଇନି ‘ଭାଇ, ମୁଁ ଶ୍ରୀସନ୍ଥ ହେବାକୁ ଚାହେଁନା, ବ୍ରେଟ୍‌ ଲି ହେବାକୁ ଚାହେଁ‘ ବୋଲି କହିଥିଲେ। ଏବେ ଏହି କମେଣ୍ଟ ଭାଇରାଲ ହେଉଛି।

ପ୍ରକାଶ ଯେ, ଆଇପିଏଲ୍‌ ୨୦୧୩ରେ ସ୍ପୋଟ୍ସ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଶ୍ରୀସନ୍ଥ। ଏହି ଘଟଣା ସେତେବେଳେ ବିଶ୍ୱ କ୍ରିକେଟଜଗତକୁ ଚମକାଇ ଦେଇଥିଲା। ଏବେ ଶ୍ରୀସନ୍ଥଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ଉଠିଛି। ଏଥିସହ ସେ ଘରୋଇ କ୍ରିକେଟକୁ ପୁଣି ଫେରିଛନ୍ତି। ନିକଟରେ ସେ ସୈୟଦ ମୁସ୍ତାକ ଅଲୀ ଟ୍ରଫିରେ ନିଜର ପ୍ରଥମ ଉଇକେଟ ନେବା ବେଳେ ଭାବବିହ୍ବଳ ହୋଇଯାଇଥିଲେ। ଏହି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ କୌଣସି ଆଇପିଏଲ୍‌ ଟିମ୍‌ କିଣି ନ ଥିଲା।