ଭଦ୍ରକ-ଧାମରା ରେଳପଥ ଅବରୋଧ: ଦେଲେ ଏମିତି ଚେତାବନୀ, ଦାବି ପୂରଣ ନ ହେବା ଯାଏ…

ତିହିଡି଼,୨୭।୨(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡି଼ ବ୍ଲକ୍‌ ପୀରହାଟ ଥାନା ଅଧୀନ ସାହାପୁର ରାସ୍ତାର ଲେବଲ କ୍ରସିଂ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ରେଳପଥକୁ ଅବରୋଧ କରାଯାଇଛି । ପ୍ରଶାସନ ପକ୍ଷରୁ ରେଳପଥର ବିଭିନ୍ନ ଲେବଲ କ୍ରସିଂରେ ୧୬୫ଧାରା ଲାଗୁ କରାଯାଇଥିଲେ ମଧ୍ୟ ଏହି ଆନ୍ଦୋଳନ କରାଯାଇଛି । ଧାମରା ପୋର୍ଟ ଦ୍ୱାରା ଉପଲବ୍ଧ ନିଯୁକ୍ତି, ବ୍ୟବସାୟ, ପରିବହନ, କ୍ଷେତ୍ରରେ ଜିଲାର ଅଧିବାସୀମାନଙ୍କୁ ବଞ୍ଚିତ କରାଯିବା ପ୍ରତିବାଦରେ ଜିଲା ବିକାଶ ପରିଷଦ, ଟିପର ଓ ଟ୍ରକ ମାଲିକ ସଂଘ, ବିଶ୍ୱକର୍ମା ଟ୍ରକ ମାଲିକ ସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି । ସଂଘର ସଭାପତି ଶୁଭେନ୍ଦୁ ରାୟ ମହାପାତ୍ର, ସମ୍ପାଦକ ଜ୍ୟୋତିପ୍ରକାଶ ମହାନ୍ତି, ଅଶୋକ କୁମାର ପରିଜା, ଚନ୍ଦନ କୁମାର ନାୟକ, ମନମୋହନ ପୃଷ୍ଟି, ପ୍ରଦୀପ କୁମାର ମଲ୍ଲିକ ପ୍ରମୁଖଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କରାଯାଇଥିବା ବେଳେ ସଂଘର କର୍ମକର୍ତ୍ତା
ମାନେ ଏଥିରେ ସାମିଲ ହୋଇଥିଲେ । କର୍ମକର୍ତ୍ତାମାନେ ରେଳପଥକୁ ଅବରୋଧ କରି ଧାମରା ପୋର୍ଟ କମ୍ପାନୀ ଲିମିଟେଡ଼ର ବିଭିନ୍ନ ଅବହେଳା ସମ୍ପର୍କରେ ବକ୍ତବ୍ୟ ଦେବା ସହ ସଂଘର ବିଭିନ୍ନ ଦାବି ଉପସ୍ଥାପନ କରି ଏହାକୁ ପୂରଣ କରିବାକୁ ଦାବି ଜଣାଇଥିଲେ । ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି । ଉପଜିଲାପାଳ ସୌରଭ ଚକ୍ରବର୍ତ୍ତୀ ଆନ୍ଦୋଳନସ୍ଥଳ ବୁଲି ପରିସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଆନ୍ଦୋଳନ ସ୍ଥଳରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ଚାନ୍ଦବାଲି ଏସଡିପିଓ ପ୍ରଭାସ ଚନ୍ଦ୍ର ଦାସ, ପୀରହାଟ ଥାନା ଆଇଆଇସି ରୋଜାଲିନ ବେହେରା ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି l

Dharitri – Odisha’s No.1 Odia Daily

Share