ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି। କାରଣ ପ୍ରେମ ସମ୍ପର୍କ ସନ୍ଦେହରେ ଗ୍ରାମବାସୀମାନେ ତାଙ୍କୁ ନିର୍ଯାତନା ଦେବା ସହ ତାଙ୍କର ଭିଡିଓ ଭାଇରାଲ କରିଦେଇଥିଲେ। ଏହା ଯୁବତୀଙ୍କୁ ଭାଙ୍ଗି ଦେଇଥିଲା। ଶେଷରେ ସେ ଆତ୍ମହତ୍ୟା କରିବାକୁ ପଛାଇ ନାହାନ୍ତି। କେବଳ ଏତିକି ନୁହେଁ ତାଙ୍କର ମୃତଦେହ ଦେଖି ମା’ଙ୍କ ହୃଦଘାତ ହୋଇଥିଲା। ଏବେ ତାଙ୍କର ଅବସ୍ଥା ଗୁରୁତର ରହିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗୁରୁବାର ରାତିରେ ଗ୍ରାମବାସୀମାନେ ଯୁବତୀଙ୍କୁ ପଡ଼ୋଶୀ ଗାଁର ଜଣେ ଯୁବକଙ୍କ ସହ ଦେଖିଥିଲେ। ଏହାପରେ ଯୁବତୀ କୌଣସିମତେ ଜୀବନ ବଞ୍ଚାଇ ଘରକୁ ପଳାଇଥିଲେ, କିନ୍ତୁ ଯୁବକଙ୍କୁ ଖମ୍ବରେ ବାନ୍ଧି ଦିଆଯାଇଥିଲା। ପ୍ରବଳ ଥଣ୍ଡାରେ ତାଙ୍କ ପୋଷାକ ଖୋଲି ରାତିତମାମ ନିଷ୍ଠୁର ଭାବେ ମାଡ଼ ଦିଆଯାଇଥିଲା। ସେତିକିରେ କଥା ସରି ନ ଥିଲା। ଶୁକ୍ରବାର ସକାଳେ ଯୁବକଙ୍କୁ ଲଣ୍ଡା କରି ମୁହଁରେ କଳା ବୋଳି ଗାଁରେ ବୁଲାଯାଇଥିଲା। ଏହି ସମସ୍ତ ଘଟଣାର ଭିଡିଓ ଗ୍ରାମବାସୀମାନେ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ। ଭିଡିଓ ଯୁବତୀଙ୍କ ପାଖରେ ପହଞ୍ଚିବା ପରେ ସେ ଅପମାନ ଓ ମାନସିକ ଯନ୍ତ୍ରଣା ସହ୍ୟ କରିପାରି ନଥିଲେ। ଶୁକ୍ରବାର ଦିନ ପ୍ରାୟ ୩ଟାରେ, ମା’ବାପା ଘରେ ନ ଥିବା ବେଳେ ସେ ଫାଶି ଲଗାଇ ଝୁଲି ଆତ୍ମହତ୍ୟା କରିଦେଇଥିଲେ।

ହେଲେ ଯୁବତୀଙ୍କ ପିତା ଏହାକୁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି। ତାଙ୍କ କହିବାନୁସାରେ ଝିଅ ଘରେ ଶୋଇଥିବା ବେଳେ କେହି ଜଣେ ତାଙ୍କୁ ବାହାରକୁ ଡକାଇ ଏଭଳି କାଣ୍ଡ ଭିଆଇଛନ୍ତି।

ଘଟଣାର ସୂଚନା ପାଇବା ମାତ୍ରେ ପୋଲିସ  ଗାଁରେ ପହଞ୍ଚିଥିଲା। ଆହତ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଯୁବତୀଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୋଲିସ କହିଛି ଯେ, ମାମଲାର ଗଭୀର ତଦନ୍ତ ଜାରି ରହିଛି। ପୋଷ୍ଟମର୍ଟମ ରିପୋର୍ଟ ପରେ ଏହା ଆତ୍ମହତ୍ୟା ନା ହତ୍ୟା ସ୍ପଷ୍ଟ ହେବ। ଭିଡିଓ ଭାଇରାଲ କରିଥିବା ଓ ମାରପିଟ କରିଥିବା ଦୋଷୀମାନଙ୍କ ବିପକ୍ଷରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

Dharitri – Odisha’s No.1 Odia Daily

Share