Categories: Home Leftଖେଳ

ଅବସର ପରେ ଆସିଲା କ୍ୟାରିୟରର ଶ୍ରେଷ୍ଠ ଇନିଂସ

ଅଲ ଆମେରାଟ,୨୩।୧: ଏଠାରେ ଚାଲିଥିବା ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଶୁକ୍ରବାର ଓ୍ବାଲର୍‌ଡ ଜିଆଣ୍ଟସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଇଣ୍ଡିଆ ମହାରାଜ ପାଇଁ ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିଲେ ନମନ ଓଝା। ମାତ୍ର ୬୯ ବଲରେ ସେ ୨୦୦ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକ୍‌ ରେଟ୍‌ରେ ଖେଳିଥିଲେ ୧୪୦ ରନ୍‌ର ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୧୫ ଚୌକା ଓ ୯ ଛକା। ଟି୨୦ କ୍ରିକେଟରେ ଏହା ଥିଲା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଇନିଂସ। ଗତବର୍ଷ ଫେବୃୟାରୀରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିଥିବା ନମନ ଭାରତ ପାଇଁ ପ୍ରତ୍ୟେକ ଫର୍ମାଟରେ ଖେଳିଥିଲେ। ଅନ୍ତର୍ଜାତୀୟ ସ୍ତରରେ ସେ ଖେଳିଥିଲେ ଗୋଟିଏ ଲେଖାଏ ଟେଷ୍ଟ ଓ ଦିନିକିଆ ସହ ଦୁଇଟି ଟି୨୦ ମ୍ୟାଚ୍‌। ଏହାବାଦ୍‌ ଆଇପିଏଲରେ ୧୧୩ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ତାଙ୍କ ବ୍ୟାଟରୁ ଗୋଟିଏ ହେଲେ ଶତକ ବାହାରି ନ ଥିଲା।

ତାଙ୍କ ୧୪୦ ରନ୍‌ର ପାଳି ସତ୍ତ୍ୱେ ଇଣ୍ଡିଆ ମହାରାଜା ପରାଜୟରୁ ବର୍ତ୍ତି ପାରି ନ ଥିଲା। ମହମ୍ମଦ କୈଫଙ୍କ ନେତୃତ୍ୱାଧୀନ ଦଳ ଦ୍ୱାରା ଧାର୍ଯ୍ୟ ୨୧୦ ରନ୍‌ର ଟାଗେର୍ଟକୁ ୩ ବଲ ପୂର୍ବରୁ ହାସଲ କରିନେଇଥିଲା ଓ୍ବାଲର୍‌ଡ ଜିଆଣ୍ଟ୍ସ। ଦଳର ବିଜୟ ଆଶା ପ୍ରାୟତଃ ଶେଷ ହୋଇଯାଇଥିବା ବେଳେ ତ୍ରାଣକର୍ତ୍ତା ସାଜିଥିଲେ ଇମ୍ରାନ ତାହିର। ତାହିର ମାତ୍ର ୧୯ ବଲରେ ୫୨ ରନ୍‌ର ପାଳି ଖେଳି ମ୍ୟାଚ୍‌ର ଫଳାଫଳ ବଦଳି ଦେଇଥିଲେ। ତାଙ୍କ ଇନିଂସରେ ଥିଲା ୩ ଚୌକା ଓ ୫ ଛକା।