ୟୁନିଭର୍ସିଟି କ୍ୟାମ୍ପସ୍‌ରେ ଶିକ୍ଷାମନ୍ତ୍ରୀଙ୍କୁ ଆକ୍ରମଣ

କୋଲକାତା,୧।୩: ପଶ୍ଚିମବଙ୍ଗ ଯାଦବପୁର ୟୁନିଭର୍ସିଟି କ୍ୟାମ୍ପସ୍‌ ଭିତରେ ରାଜ୍ୟ ଶିକ୍ଷାମନ୍ତ୍ରୀ ବ୍ରତ୍ୟ ବସୁଙ୍କୁ ଏସ୍‌ଏଫ୍‌ଆଇ (ଷ୍ଟୁଡେଣ୍ଟସ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ) ନେତାମାନେ ଶନିବାର ଆକ୍ରମଣ କରିଛନ୍ତି। ଟିଏମ୍‌ସି ସମର୍ଥତ୍ତ ପଶ୍ଚିମବଙ୍ଗ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରଫେସର ସଂଘ (ଡବ୍ଲ୍ୟୁଇବିସିୟୁପିଏ) ବୈଠକରେ ଯୋଗଦେବାକୁ ଶିକ୍ଷାମନ୍ତ୍ରୀ ଯାଦବପୁର ୟୁନିର୍ଭସିଟିକୁ ଯାଇଥିଲେ। କଲେଜ ନିର୍ବାଚନ କ୍ୟାମ୍ପସ୍‌ରେ କରାଇବା ଦାବି କରି ଛାତ୍ର ସଂଗଠନର ସଦସ୍ୟମାନେ ବସୁଙ୍କୁ ଘେରିଥିଲେ। ପରେ ସେମାନେ ବସୁଙ୍କୁ ମାଡ଼ ମାରିଥିଲେ।

ଆକ୍ରମଣରେ ତାଙ୍କ କାର୍‌ କ୍ଷତିଗ୍ରସ୍ତ ହୋଇଛି। ସେ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କ୍ୟାମ୍ପସ୍‌ରେ ଅଶାନ୍ତ ବାତାବରଣ ସୃଷ୍ଟି କରିବା ପାଇଁ ସିପିଆଇ(ଏମ୍‌) ଏବଂ ଭାଜପା ମେଣ୍ଟ କରିଥିବା ବସୁ ଅଭିଯୋଗ କରିଛନ୍ତି।