ମେହୁଲ ଚୋକ୍ସିଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ବେଲଜିଅମ କୋର୍ଟଙ୍କ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୭।୧୦: ବେଲଜିଅମର ଆଣ୍ଟୱେର୍ପ କୋର୍ଟ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଅନୁମୋଦନ ଦେଇଛନ୍ତି ଏବଂ ଚଳିତ ବର୍ଷ ବେଲଜିଅମ ପୁଲିସ ଦ୍ୱାରା ତାଙ୍କୁ ଗିରଫ ବୈଧ ବୋଲି ରାୟ ଦେଇଛନ୍ତି। ତେବେ, ଚୋକ୍ସି ଏହି ନିଷ୍ପତ୍ତି ବିରୋଧରେ ଉଚ୍ଚ ଅଦାଲତରେ ଆପିଲ କରିପାରିବେ, ଯାହା ଫଳରେ ତାଙ୍କୁ ତୁରନ୍ତ ଭାରତକୁ ଅଣାଯିବ ନାହିଁ।

ଭାରତୀୟ ଅଧିକାରୀଙ୍କ ଅନୁରୋଧ ପରେ ୧୧ ଏପ୍ରିଲ ୨୦୨୫ରେ ଆଣ୍ଟୱେର୍ପ ପୁଲିସ ଚୋକ୍ସିଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ବେଲଜିଅମ ଜେଲରେ ଅଛନ୍ତି ଏବଂ ପଳାୟନର ଆଶଙ୍କା ଥିବାରୁ ତାଙ୍କର ବେଲ ଆବେଦନ ବାରମ୍ବାର ଖାରଜ ହୋଇଛି।

କୋର୍ଟରେ ଭାରତର ପ୍ରତିନିଧିତ୍ୱ କରୁଥିବା ବେଲଜିଅମ ପ୍ରୋସିକ୍ୟୁସନ ଓ ଚୋକ୍ସିଙ୍କ ଆଇନଜୀବୀଙ୍କ ମଧ୍ୟରେ ଯୁକ୍ତି ପରେ ରାୟ ଦିଆଯାଇଛି। ଚୋକ୍ସିଙ୍କ ବିରୁଦ୍ଧରେ ଭାରତରେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ବିଶ୍ୱାସଭଙ୍ଗ, ପ୍ରମାଣ ନଷ୍ଟ ଓ ଦୁର୍ନୀତି ଅଭିଯୋଗ ରହିଛି, ଯାହା ବେଲଜିଅମ ଆଇନ ଅନୁଯାୟୀ ମଧ୍ୟ ଦଣ୍ଡନୀୟ। ଏହା ଆନ୍ତର୍ଜାତୀୟ ଚୁକ୍ତି ଅନୁଯାୟୀ ‘ଦୁଇମୁଖୀ ଅପରାଧ’ ସର୍ତ୍ତ ପୂରଣ କରୁଛି।

ଭାରତ ଚୋକ୍ସିଙ୍କୁ ଭାରତୀୟ ଦଣ୍ଡବିଧିର ଧାରା ୧୨୦ବି, ୨୦୧, ୪୦୯, ୪୨୦, ୪୭୭ଏ ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ୭ ଓ ୧୩ ଅଧୀନରେ ଅଭିଯୁକ୍ତ କରିଛି। ସିବିଆଇ ତିନିଥର ବେଲଜିଅମ ଗସ୍ତ କରି ପ୍ରମାଣ ଦାଖଲ କରିଛି ଏବଂ ଏକ ଇଉରୋପୀୟ ଲ ଫାର୍ମକୁ ନିୟୋଜିତ କରିଛି।

ଭାରତ ବେଲଜିଅମ ଅଧିକାରୀଙ୍କୁ ଆଶ୍ୱାସନା ଦେଇଛି ଯେ ପ୍ରତ୍ୟର୍ପଣ ପରେ ଚୋକ୍ସିଙ୍କୁ ମୁମ୍ବାଇର ଆର୍ଥର ରୋଡ଼ ଜେଲର ବ୍ୟାରାକ ନମ୍ବର ୧୨ରେ ରଖାଯିବ, ଯାହା ଇଉରୋପୀୟ ମାନବାଧିକାର ମାନଦଣ୍ଡ ପୂରଣ କରେ। ତାଙ୍କୁ ସ୍ୱଚ୍ଛ ପାଣି, ଖାଦ୍ୟ, ଖବରକାଗଜ, ଟେଲିଭିଜନ ଓ ଚିକିତ୍ସା ସୁବିଧା ମିଳିବ।

ଚୋକ୍ସି ୧୩,୦୦୦ କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଠକେଇ ମାମଲାରେ ଭାରତରେ ଅଭିଯୁକ୍ତ। ୨୦୧୧ରୁ ୨୦୧୮ ମଧ୍ୟରେ ଠକେଇ, ଷଡ଼ଯନ୍ତ୍ର ଓ ମନି ଲଣ୍ଡରିଂ ଅଭିଯୋଗରେ ସେ ୨୦୧୮ ଆରମ୍ଭରେ ଭାରତରୁ ପଳାଇଥିଲେ।

Dharitri – Odisha’s No.1 Odia Daily

Share
Tags: Mehul Choksi