ଭଞ୍ଜନଗର,୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଯୁବ ରେଡକ୍ରସ, ଜାତୀୟ ସେବା ଯୋଜନା ଶାଖା (୧) ଏବଂ ଶାଖା (୨) ଓ ଏନ୍ସିସି ଆର୍ମି ୱିଙ୍ଗ ପକ୍ଷରୁ ମିଳିତ ଭାବେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।
ଏଥିରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ସଭାପତିତ୍ୱ କରି ଏଡ଼ସ ରୋଗର ଭୟାବହତା, ଇତିହାସ ଏବଂ ତାହାର ନିରାକରଣ ଉପରେ କହିଥିଲେ। ପ୍ରଶାସନିକ ଅଧିକାରୀ ବିଭାସ ଦାସ ସଭାକୁ ସଂଯୋଜନା କରିବା ସହ ଯୁବପିଢୀ ହେଉଛନ୍ତି ଦେଶର ଭବିଷ୍ୟତ ବୋଲି କହିଥିଲେ। ଛାତ୍ରୀଛାତ୍ରମାନେ ସଚେତନ ହେଲେ ଏହି ରୋଗ ସେମାନଙ୍କୁ ଛୁଇଁ ପାରିବ ନାହିଁ। ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ଦାସ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ବାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଯୁବ ରେଡକ୍ରସ ଅଧିକାରୀ ବିଦେଶୀ ରାଉତ, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପିକା ଶେଫାଳୀ ପଟ୍ଟନାୟକ, ଜାତୀୟ ସେବା ଯୋଜନା ଶାଖା ୧ ଅଧିକାରୀ ବି ପ୍ରଧାନ ପ୍ରମୁଖ ଆଲୋଚନାରେ ଭାଗ ନେଇ ଗଞ୍ଜାମ ଜିଲାରେ ଏଡ଼ସ ରୋଗର ସ୍ଥିତି ସମ୍ପର୍କରେ କହିବା ସହ ସଚେତନତା ବୃଦ୍ଧି ଯୋଗୁ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ବର୍ଷ ଅପେକ୍ଷା କମିବାରେ ଲାଗିଛି ବୋଲି କହିଥିଲେ।
ଅଧ୍ୟାପକ ସୀମାଞ୍ଚଳ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତୀ ଛାତ୍ରୀଛାତ୍ରଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।