ପଡ଼ିଆରେ ଅଘଟଣ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଉତ୍ତର ପ୍ରଦେଶର ଉନ୍ନାଓ ଜିଲାରେ ଘଟିଛି। ୧୫ ରୁ ୨୦ ଜଣ ଖେଳାଳି ଆହତ ହୋଇଛନ୍ତି। ମହୁମାଛିଙ୍କଠାରୁ ନିଜକୁ ରକ୍ଷା କରିବା ପାଇଁ ଅମ୍ପାୟାର ଏବଂ ଖେଳାଳିମାନେ ତଳେ ଶୋଇ ପଡ଼ିଥିଲେ।

୬୫ ବର୍ଷୀୟ ଅମ୍ପାୟାର ମାଣିକ ଗୁପ୍ତାଙ୍କୁ ମହୁମାଛି ଆକ୍ରମଣ କରିଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। କାନପୁର କ୍ରିକେଟ ଆସୋସିଏସନ ଅମ୍ପାୟାର ମାଣିକ ଗୁପ୍ତା କାର୍ଯ୍ୟ କରୁଥିଲେ। ଶୁକ୍ଳାଗଞ୍ଜ ଅଞ୍ଚଳର ସପ୍ର୍ୟୁ ଗ୍ରାଉଣ୍ଡରେ ଖେଳାଯାଉଥିବା ଏକ ମ୍ୟାଚ୍‌ ସମୟରେ ପ୍ରବଳ ମହୁମାଛି ପଶିଯାଇଥିଲେ। ପାନୀୟ ବିରତି ସମୟରେ ମହୁମାଛି ଖେଳାଳି ଏବଂ ଅମ୍ପାୟାରଙ୍କୁ ଆକ୍ରମଣ କରିଥିଲା। ସମସ୍ତେ ନିଜକୁ ରକ୍ଷା କରିବା ପାଇଁ ତଳେ ଶୋଇ ପଡ଼ିଥିଲେ।

ଗମ୍ଭୀର ଆହତ ଅମ୍ପାୟାରଙ୍କୁ କାନପୁରର ଏକ ଘରୋଇ ନର୍ସିଂ ହୋମକୁ ନିଆଯାଇଥିଲା। ଡାକ୍ତରମାନେ ମାଣିକ ଗୁପ୍ତାଙ୍କ ଅବସ୍ଥା ଗୁରୁତର ଥିବା କହିଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହା ଉଲ୍ଲେଖଯୋଗ୍ୟ ଯେ, ୨୦୧୯ରେ ସମାନ ଘଟଣା ଘଟିଥିଲା। ତିରୁଭାନନ୍ତପୁରମରେ ଭାରତ ଏ ବନାମ ଇଂଲଣ୍ଡ ଲାୟନ୍ସ ଏକଦିବସୀୟ ମ୍ୟାଚ ଉପରେ ମହୁମାଛି ଆକ୍ରମଣ କରିଥିଲା। ଖବର ଅନୁଯାୟୀ ଅନେକ ଲୋକଙ୍କୁ ମହୁମାଛି କାମୁଡ଼ିଥିଲା, ଯଦିଓ ସୌଭାଗ୍ୟବଶତଃ କେହି ମୃତ୍ୟୁବରଣ କରି ନ ଥିଲେ।

 

Dharitri – Odisha’s No.1 Odia Daily

 

Share