Arab woman icon portrait in hijab. Asian muslim traditional hijab. Vector illustration.
ନୂଆଦିଲ୍ଲୀ, ୨୪।୨:ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରାସ୍ତାକଡ଼ରେ ବସି ଜଣେ ନାବାଳିକା କାନ୍ଦୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ମୋନିକା ବର୍ମା ନାମକ ଜଣେ ଟୁଇଟର ୟୁଜର୍ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି। ଉକ୍ତ ଭିଡିଓଟି ଇରାନ୍ର ବୋଲି କୁହାଯାଉଛି। ନାବାଳିକା ଜଣକ ହିଜାବ ନ ପିନ୍ଧିବାରୁ ତାଙ୍କୁ ମାଡ଼ ମରାଯାଇଥିବା ଜଣାପଡ଼ିଛି। ମାଡ଼ ଆଘାତରେ କୁନି ଝିଅ ନାକ ଓ ପାଟିରୁ ରକ୍ତସ୍ରାବ ହେଉଥିବାବେଳେ ସେ ଏକ କପଡ଼ା ଧରି କାନ୍ଦି କାନ୍ଦି ମୁହଁ ପୋଛୁଥିବାର ଦେଖିବାକୁ ମିଳିଛି। ଭାଇରାଲ ହେଉଥିବା ଭିଡିଓ ଅନୁସାରେ ଦୁଇଜଣ ମହିଳା ଉକ୍ତ ଝିଅଙ୍କୁ ସାହାଯ୍ୟ କରୁଛନ୍ତି। ଇରାନ୍ର ସର୍ବସାଧାରଣ ସ୍ଥାନରେ ମହିଳା ହିଜାବ ପରିଧାନ କରିବା ବାଧ୍ୟତାମୂଳକ। ଗତବର୍ଷ ସେପ୍ଟେମ୍ବରରେ ୨୨ ବର୍ଷିଆ ମହସା ଆମିନି ଭୁଲ୍ ଢଙ୍ଗରେ ହିଜାବ ପିନ୍ଧିବା ଯୋଗୁ ଇରାନର ରକ୍ଷଣଶୀଳ ପୋଲିସ ତାଙ୍କୁ ଗିରଫ କରିଥିଲା। ପୋଲିସ ଅତ୍ୟାଚାରରେ ଆମିନିଙ୍କ ହାଜତ ମୃତ୍ୟୁ ଘଟିବା ପରେ ଦେଶରେ ୫ ମାସ ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।