ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ ଖାଇଥିଲେ। ପ୍ରାୟ ପ୍ରତ୍ୟେକ ଦିନ ନିକଟସ୍ଥ ଜଙ୍ଗଲରୁ ୨/୩ଟି ଭାଲୁ ଆସୁଛନ୍ତି। ସନ୍ଧ୍ୟା ହେଲେ ଭାଲୁ ପଶି ଆସୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ପୂର୍ବରୁ ସହରର ଅଧିକାଂଶ ଦୋକାନ ରାତି ୯ରୁ ୧୦ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା। ୨ ମାସରୁ ଅଧିକ ହେବ ସହରକୁ ଭାଲୁ ଆସିବାଠାରୁ ଅଧିକାଂଶ ଦୋକାନ ୭ ରୁ ୮ଟା ଭିତରେ ବନ୍ଦ ହୋଇଯାଉଛି। ସନ୍ଧ୍ୟାରେ ଭାଲୁ ସହର ଭିତରକୁ ଆସି ରାତି ପାହିବା ପୂର୍ବରୁ ପୁଣି ଚାଲିଯାଉଛନ୍ତି।
ସୂଚନା ଅନୁଯାୟୀ ନୂଆପଡା ସଦର ମହକୁମାଠାରୁ ୩ କିଲୋମିଟର ଦୂରରେ ସାଲିହା ପାହାଡ ରହିଛି। ସେହି ପାହାଡରେ ଭାଲୁ ରହି ଆସୁଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଭାଲୁ କଡିଡର ଭାବରେ ଘୋଷଣା କରାଯାଇଛି। ସେହି ପାହାଡର ରକ୍ଷଣାବେକ୍ଷଣ ଅଭାବ ଓ ପାହାଡ ପରିସରରେ କ୍ରସର ରହିଛି ା ରାତି ହେଲେ ପଥର ବ୍ଲାଷ୍ଟିଂ କରୁଥିବାରୁ ଭାଲୁ ଭୟଭୀତ ହୋଇ ସହର ମୁହାଁ ହେଉଥିବା ଅନୁମାନ କରାଯାଉଛି।
ଅନ୍ୟପକ୍ଷରେ ସେହି ପାହାଡର ଜଙ୍ଗଲ ସଫା ହେବା ସହ ଭାଲୁ ଖାଇବା ଭଳି ଫଳଗଛ ନାହିଁ। ନୂଆପଡ଼ା ବନ ବିଭାଗ ପକ୍ଷରୁ ପ୍ରତିବର୍ଷ ପାହାଡରେ ଚାରା ରୋପଣ କରାଯାଉଥିଲେ ମଧ୍ୟ ବନ୍ୟପ୍ରାଣୀ ଖାଇବା ଭଳି ଫଳଗଛ ଲଗାଯାଉନାହିଁ। ଫଳରେ ଖାଦ୍ୟ ଅନ୍ବେଷଣରେ ଭାଲୁ ସହରକୁ ଆସୁଛନ୍ତି। ନୂଆପଡ଼ା ସହର ଭିତରେ ଘରଗୁଡ଼ିକରେ ପିଜୁଳି, ଅମୃତଭଣ୍ଡା ଓ ଅନ୍ୟାନ୍ୟ ଫଳ ଗଛ ଲଗାଇଛନ୍ତି। ଭାଲୁ ଆସି ବାଡା ଡେଇଁ ଫଳ ଖାଇ ଚାଲିଯାଉଛନ୍ତି। କିଛି ଦିନ ତଳେ ଶିବଶକ୍ତି ନଗର ଏକ ଘର ଆଗରେ ଥିବା ଗଛରୁ ପିଜୁଳି ଖାଇବା ପାଇଁ ମୁଖ୍ୟ ଗେଟ ଡେଉଁଥିବା ବେଳେ କିଛି ଲୋକ ଦେଖି ଭାଲୁକୁ ଘଉଡାଇ ଦେଇଥିଲେ। ଭାଲୁ ଅନ୍ୟ ପଟେ ଚାଲି ଯାଇଥିଲା। ଅଧିକାଂଶ ଲୋକେ କହୁଛନ୍ତି ଖାଦ୍ୟ ଅଭାବରୁ ଭାଲୁ ସହରମୁହାଁ ହେଉଛନ୍ତି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।