ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍ଜିମର୍ସ’ ଅନ୍ୟତମ। ଆଲୋଏ ଆଲ୍ଜିମର୍ସ ନାମକ ଜଣେ ଡାକ୍ତରଙ୍କ ନାମରେ ଏହି ରୋଗଟି ନାମିତ। କାରଣ ସେ ଥିଲେ ଏହି ରୋଗର ଆବିଷ୍କର୍ତ୍ତା। ହେଲେ ୧୯୦୭ ମସିହାରେ ଆବିଷ୍କୃତ ଏହି ରୋଗଟି ଚିକିତ୍ସା ବିଜ୍ଞାନୀଙ୍କ ସ୍ବୀକୃତି ପାଇଲା। ଉକ୍ତ ରୋଗରେ ସ୍ମରଣଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏ ସମ୍ପର୍କରେ ଡା. ନିତ୍ୟାନନ୍ଦ ସ୍ବାଇଁ କହନ୍ତି, ”ଆଲ୍ଜିମର୍ସ ରୋଗ ହେଲେ ରୋଗୀର ଶରୀର ଓ ମନ ପରସ୍ପରଠାରୁ ବିଚ୍ଛିନ୍ନ ହୋଇପଡ଼ିବା ଭଳି ଅବସ୍ଥା ଉପୁଜିଥାଏ। ତେଣୁ ଏହାକୁ କୁହାଯାଉଛି ‘ମନ ହଜି ଯାଇଥିବା ରୋଗ’ ଓ ରୋଗୀକୁ କୁହାଯାଉଛି ‘ମନ ନ ଥିବା ମଣିଷ’। ରୋଗୀଠାରେ ସ୍ମରଣ ଶକ୍ତି, ବିଶେକରି ସଦ୍ୟ ସ୍ମୃତି ଲୋପ ପାଇଯିବାରୁ ତାହାର ଜୀବନ ହୋଇ ଉଠେ ଦୁର୍ବିଷହ। ଏକ ଅଭିଶପ୍ତ ଜୀବନକୁ ବୋହି ସେ ହୁଏ ଶ୍ମଶାନବାସୀ। ପ୍ରତିବର୍ଷ ସେପ୍ଟେମ୍ବର ୨୧ ତାରିଖରେ ପାଳନ ହୋଇଥାଏ ‘ବିଶ୍ୱ ଆଲ୍ଜିମର୍ସ ଦିବସ’। ଏହି ଦିବସ ଅବସରରେ ଚଳିତବର୍ଷର ପ୍ରସଙ୍ଗ ରହିଛି -‘ଆକ୍ସ ଏବାଉଟ୍ ଡେମିଣ୍ଟିଆ’ ଅର୍ଥାତ୍, ‘ଡେମିଣ୍ଟିଆ ବିଷୟରେ ପଚାରିବା’। ସୁତରାଂ ଆଲ୍ଜିମର୍ସ ପ୍ରତି ସତର୍କ ରହିବା ନିହାତି ଜରୁରୀ। ପାଶ୍ଚାତ୍ୟ ଅଧିବାସୀଙ୍କ ତୁଳନାରେ ଆମ ଦେଶରେ ଆଲ୍ଜିମର୍ସ ରୋଗୀସଂଖ୍ୟା ଯଥେଷ୍ଟ କମ୍। ଆଲ୍ଜିମର୍ସ ରୋଗ ପ୍ରକାଶ ପାଏ ୫୦ ବର୍ଷ ବୟସ ପରେ। ଜାଣିରଖିବା କଥା ଯେ, ଆଲ୍ଜିମର୍ସର ଲକ୍ଷଣ ପ୍ରକାଶ ପାଇବା ପୂର୍ବରୁ ମସ୍ତିଷ୍କରେ ରୋଗଟିର ମୂଳଦୁଆ ପଡ଼ିସାରିଥାଏ। ରୋଗୀ ଅନେକ କଥା ସହଜରେ ମନେପକେଇ ପାରେନି। ଭୁଲିଯାଏ ସେମାନଙ୍କ ନଁା। ଘର ଛାଡ଼ି ବାହାରକୁ ଯାଇଥିଲେ ଫେରିବା ରାସ୍ତାକୁ ଠଉରେଇ ନ ପାରି ଘରକୁ ଫେରିପାରେନି। ପଇସାପତ୍ର ଧାର ଦେଇଥିଲେ ତାହାକୁ ପରିଶୋଧ କରିବାକୁ ଭୁଲିଯାଏ। କଥାବାର୍ତ୍ତା କରିବା ସମୟରେ ଠିକ୍ ଶବ୍ଦ ଠିକ୍ ଜାଗାରେ ମୁଣ୍ଡକୁ ଢୁକି ନ ଥାଏ। ଏପରି କି ଆତ୍ମୀୟଙ୍କ ମୃତ୍ୟୁରେ ବି ତା’ଠାରେ କୌଣସି ପ୍ରତିକ୍ରିୟା ପରିଲକ୍ଷିତ ହୋଇ ନ ଥାଏ।
ବୟସ ୬୫ରୁ ଊର୍ଦ୍ଧ୍ୱ ହୋଇଗଲେ ଆଲ୍ଜିମର୍ସ ବାହାରିବା ଆଶଙ୍କା ବେଶି। ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଏବଂ ଶିକ୍ଷିତ ବ୍ୟକ୍ତିଙ୍କ ଅପେକ୍ଷା ଅଶିକ୍ଷିତ ବ୍ୟକ୍ତି ରୋଗଟି ପ୍ରତି ବେଶୀ ସମ୍ବେଦନଶୀଳ। ଏପରିକି ୨୦୫୦ ମସିହା ବେଳକୁ ଆଲ୍ଜିମର୍ସ ରୋଗୀଙ୍କ ସଂଖ୍ୟା ତିନିଗୁଣ ବଢ଼ିଯାଇଥିବ ବୋଲି ଆକଳନ କରାଗଲାଣି। ସୁତରାଂ କାଳ ବିଳମ୍ବ ନ କରି ଏଥିପ୍ରତି ସତର୍କ ହୋଇଯିବା ବାଞ୍ଛନୀୟ। ତେବେ ଏହି ରୋଗଟିକୁ ସଅଳ ଚିହ୍ନଟ କରାଯାଇପାରୁନି କି ରୋଗରୁ ଉପଶମ ମିଳିପାରୁନି। ତେବେ ନିୟମିତ ବହି ଓ ଖବରକାଗଜ ପଢ଼ିବା, ସଭାସମିତିରେ ଯୋଗ ଦେବା, ଗପ, କବିତା ଲେଖିବା, ନୂଆ ଭାଷା ଶିଖିବା, ଚିତ୍ର ଆଙ୍କିବା ଏବଂ ନୂଆ ନୂଆ ରୁଚିରେ ମନ ଦେବା ଦ୍ୱାରା ରୋଗର ଆଗମନକୁ ବିଳମ୍ବିତ କରାଯାଇପାରେ। ତେବେ ଏହି ରୋଗ ପ୍ରକାଶ ପାଇଲେ ପରିବାର ସମସ୍ୟା ବହୁତ ବଢ଼ିଯାଏ। ତେଣୁ ବ୍ୟକ୍ତିଗତ ସ୍ତରରେ ପ୍ରତ୍ୟେକ ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବା ଅପରିହାର୍ଯ୍ୟ।“