ଧରାକୋଟ,୨୪ା୧୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ବିଡିଓ ସଂଗ୍ରାମ କେଶରୀ ଜେନା ସୋମବାର ବାହାରପୁରସ୍ଥିତ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦଶମ ଶ୍ରେଣୀ ପିଲାଙ୍କୁ ବୀଜ ଗଣିତ, ସହଜ ସରଳ ସମୀକରଣ, ସମାନ୍ତର ଓ ପ୍ରଗତି ବିଷୟରେ ପଢାଇଛନ୍ତି। ଦଶମ ଶ୍ରେଣୀରେ ଏବେ ୬୬ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି।
ବାହାରପୁର ପଞ୍ଚାୟତରେ ସୋମବାର ଜନ ଶୁଣାଣି କାର୍ଯ୍ୟକ୍ରମ ରହିଥିବାରୁ ପ୍ରଧାନ ଶିକ୍ଷକ ରାଧା ମୋହନ ତ୍ରିପାଠୀ, ଭବାନୀ ଶଙ୍କର ବେହେରା, ନନ୍ଦରାଜ ପ୍ରଧାନ ପ୍ରମୁଖ ସେଠାରେ ଉପସ୍ଥିତ ରହି ବିଦ୍ୟାଳୟର ଅଭାବ ଅସୁବିଧା ସମ୍ପର୍କରେ ଜଣାଇଥିଲେ। ପରେ ବିଡିଓ ନିଜେ ବିଦ୍ୟାଳୟରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଗଣିତ ପାଠ ପଢ଼ାଇବା ପାଇଁ ଚାହିଁବାରୁ ଗଣିତ ଶିକ୍ଷକ ମିହିର ପ୍ରସାଦ କର ତାଙ୍କୁ ଦଶମ ଶ୍ରେଣୀକୁ ନେଇଥିଲେ। ସେଠାରେ ଅତି ସରଳ ପଦ୍ଧତିରେ ବିଡିଓ ପିଲାଙ୍କୁ ପାଠ ପଢ଼ାଇବା ସହ ବିଦ୍ୟାଳୟର ସୁବିଧା ଅସୁବିଧା ପଚାରି ବୁଝିଥିଲେ।
ପାଚେରି, ବାଳିକା କମନ ରୁମ, ଶ୍ରେଣୀଗୃହ ଅଭାବ ଓ କେତେକ ଶ୍ରେଣୀ ଗୃହ ଅସମ୍ପୂର୍ଣ୍ଣ ଥିବା ଶିକ୍ଷକ ଡାକ ବେହେରା, ସୁଶାନ୍ତ କୁମାର ରଥ ଓ ଭାଗିରଥି ବେହେରା ଜଣାଇଥିଲେ। ତୁରନ୍ତ ସମସ୍ୟାର ସମାଧାନ ପାଇଁ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।