ପଞ୍ଚାୟତ ସ୍ତରୀୟ ଜନଶୁଣାଣିରେ ଯୋଗଦେବାକୁ ଯାଇ ବିଡ଼ିଓ ହଟହଟା: ଲିଖିତ ପ୍ରତିଶ୍ରୁତି ପରେ ରାସ୍ତା ଛାଡ଼ିଲେ ଅଞ୍ଚଳବାସୀ

ଥୁଆମୁଳ ରାମପୁର,୨।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ଳକ ପ୍ରଶାସନ ପକ୍ଷରୁ ଗତ ମାସ ଠାରୁ ପ୍ରତ୍ୟେକ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଆୟୋଜନ କରାଯାଉଛି। ଏହି କ୍ରମରେ ନାକରୁଣ୍ତି ପଞ୍ଚାୟତ ଠାରେ ସୋମବାର ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ସମୟରେ ଖଣି ଖନନ କମ୍ପାନୀ ପଠାଇଥିବା ସନ୍ଦେହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲିଙ୍କୁ ପାଖାପାଖି ୧୫୦୦ ରୁ ଉର୍ଦ୍ଧ ଅଞ୍ଚଳବାସୀ ଘେରିଯାଇଥିଲେ।

ସୂଚନା ଅନୁସାରେ ବ୍ଲକ୍ ର ଜନ ମଙ୍ଗଳ ଅଧିକାରୀ ଶୁଭଜିତ ରଞ୍ଜନ ସ୍ୱାଇଁ, ବିଏସଏସଓ ସୁନାରାମ ସୋରେନ, ଆରଏଚ ରାଜେନ୍ଦ୍ର ନାରାୟଣ ଦେବ, ଏମଆଇ ବିଭୂରଞ୍ଜନ ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ହରିହର କୁମ୍ଭାର, ଜିଆରଏସ୍ ଖଗପତି ନାଏକ ଓ ବିଭିନ୍ନ ଲାଇନ ବିଭାଗର କର୍ମଚାରୀ ଯୋଗଦେବା ପାଇଁ ଉକ୍ତ ପଞ୍ଚାୟତକୁ ଯାଇପହଞ୍ଚିଥିଲେ। ହେଲେ ସେଠାରେ ଅଞ୍ଚଳ ବାସି ସିଜିମାଳୀ ଓ କୁଟ୍ରୁମାଳିକୁ କମ୍ପାନୀ ହାତକୁ ଟେକି ଦେବୁ ନାହିଁ ବୋଲି ପ୍ରଶାସନ ବିରୋଧରେ ନାରା ବାଜି କରିଥିବା ସହ ତାଙ୍କ ଜଙ୍ଗଲ ଜମି ର କିସମ ବଦଳେଇ ଦେଇଥିବା ହେତୁ ତାର ପ୍ରତିବାଦରେ ବ୍ଳକ ପ୍ରଶାସନକୁ ପୂର୍ବରୁ ଆନ୍ଦୋଳନକାରି ବିରୋଧ କରି ଲିଖିତ ଅଭିଯୋଗ କରିଥିଲେ।

ତହସିଲଦାର ଓ ବିଡ଼ିଓ ମହାଶୟଙ୍କୁ ପୂର୍ବରୁ କେରପାଇ ଗ୍ରାମ ପଂଚାୟତର ଜନ ଶୁଣାଣି ବେଳେ ସାମାନ୍ୟ ବିରୋଧାଭାସ କରିଥିଲେ ଖଣି ସୁରକ୍ଷା ଆନ୍ଦୋଳନକାରି। ତେବେ ସେହି ଜନ ଶୁଣାଣି ଶିବିରରେ ବିଡିଓ ମୁଦୁଲି ଖୋଲା ଖୋଲି କମ୍ପାନୀକୁ ସମର୍ଥନ ଦେଇଥିଲେ ଓ ଡବ୍ଲୁ ଇଓ ଶୁଭଜିତ ରଞ୍ଜନ ସ୍ୱାଇଁ ଗାଁ ଗାଁ ବୁଲି ସରକାରଙ୍କ ବିନା ଅନୁମତିରେ ଯାଇ ପ୍ରଭାବିତ ଅଞ୍ଚଳ ମଧ୍ୟରେ ଯାଇ ଗ୍ରାମ ସଭା ପଲ୍ଲୀ ସଭା କରିଥିଲେ ଏବଂ ଗ୍ରାମବାସି ମିଛ ଦସ୍ତଖତ କରିଥିଲେ ବୋଲି ଅଭିଯୋଗ କରି ଆନ୍ଦୋଳନକାରୀ ଓ ନାକରୁଣ୍ଡି ଗ୍ରାମ ପଞ୍ଚାୟତବାସୀ ବିଡ଼ିଓ ସମେତ ସମସ୍ତ ବ୍ଳକ ପ୍ରଶାସନ ଓ ଅନ୍ଯାନ୍ଯ କର୍ମଚାରୀ ମାନଙ୍କୁ ଗ୍ରାମବାସୀ ଅଟକ ରଖିଥିବା ଦେଖିବାକୁ ମିଳିଥିଲା।

ପରେ ବିଡିଓ ଲୋକଙ୍କୁ ବୁଝାମଣା କରିବା ସହିତ ଆମେ ସରକାରଙ୍କ ଯୋଜନାର ଉପଲବ୍ଧିକୁ ନେଇ ଆପଣଙ୍କ ପାଖକୁ ଆସିଛୁ ଆମେ କୌଣସି କମ୍ପାନୀ କିମ୍ବା ଖଣି ଖନନ ବିଷୟକୁ ନେଇ ଆମେ ଆସି ନାହୁଁ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ବିଡ଼ିଓଙ୍କୁ ଛାଡିଥିବା ଖବର ମିଳିଛି। ତେବେ ଏହି ଶିବିର ଲୋକଙ୍କ ସୁବିଧା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ କରିବା ବ୍ୟବସ୍ଥା କରିଛନ୍ତି। ଲୋକଙ୍କ ସଚେତନ ଅଭାବ ଯୋଗୁଁ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରୋକା ଯାଉଛି ବୋଲି ବିଡ଼ିଓ ତାଙ୍କର ପ୍ରତିକ୍ରିୟା ଦେଇଥିଲେ ହେଲେ ଏହା କେତେ ଦୂର ଯୁକ୍ତିଯୁକ୍ତ ଲୋକେ ହୃଦୟଙ୍ଗମ କରିବା ଆବଶ୍ୟକତା ରହିଛି।