ଅନାଥ ଗୁରୁବାରୀଙ୍କୁ ସହାୟତାର ହାତ ବଢ଼ାଇଲେ ବିଡିଓ

କୁନ୍ଦୁରା,୩୦।୧୦( ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଉପାନ୍ତ ତଥା ଛତିଶଗଡ ସୀମାନ୍ତ କେରିମିଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ଅନାଥ ଗୁରୁବାରୀ ଦୁରୁଆ। ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ଦେହ ଖରାପ ହେଲା। ଏହାକୁ ନେଇ ସେ ଡାକ୍ତରଙ୍କ ନିକଟକୁ ଯାଇଥିବା ବେଳେ ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଜଣାପଡିଲା ଯେ ଆଖିରେ ସମସ୍ୟା ରହିଛି। କିଛି ଦିନ ପରେ ଗୁରୁବାରୀକୁ ବାମ ଆଖିରେ ଦେଖିବା ଅସୁବିଧା ହେବା ପରେ ଚିକିତ୍ସା ଅବସ୍ଥାରେ ସେହି ଆଖିକୁ ଆଉ ସମ୍ପୂର୍ଣ୍ଣ ଦେଖାଗଲା ନାହିଁ। ଏହାକୁ ନେଇ ଜୟପୁର ଜିଲା ମୁଖ୍ୟ ଚିକିତ୍ସାଳୟ, କୋରାପୁଟ ମେଡିକାଲ କଲେଜ, ବିଶାଖାପାଟଣା,ରାୟପୁର ଏବଂ କଟକ ଏସସିବି ମେଡିକାଲ କଲେଜରେ ଚିକିତ୍ସା ହୋଇଥିଲେ। ସେଥିରେ ମଧ୍ୟ ଉପଶମ ଆସିନଥିବାରୁ ସେ ଚେରମୁଳି ଔଷଧ ମଧ୍ୟ ବ୍ୟବହାର କରିଛନ୍ତି। କିନ୍ତୁ ସମସ୍ତ ଚେଷ୍ଟା ସତ୍ତ୍ୱେ ମଧ୍ୟ ଅବସ୍ଥାରେ ସୁଧାର ଆସୁନଥିବାରୁ କର୍ମକୁ ଆଦରି ପ୍ରତିଦିନ ଦୁଇଟି ଲେଖାଏ ପ୍ଲେନ୍‌ କ୍ଳିଲର ଖାଇ ଘରେ ପଡ଼ିଥିବା ବେଳେ ଗ୍ରାମବାସୀ ତାଙ୍କର ଅସହ୍ୟ ଅବସ୍ଥା ଦେଖିନପାରି ବୁଧବାର କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଗୁରୁବାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖି ଡାକ୍ତର ଗଣେଶ ପ୍ରସାଦ ଦାସ ଏବଂ ହରିଶ୍ଚନ୍ଦ୍ର ପ୍ରଧାନ ଜୟପୁର ଜିଲା ଚିକିତ୍ସାଳୟକୁ ପଠାଇ ରକ୍ତ ଦେବାର ବ୍ୟବସ୍ଥା କରାଇଛନ୍ତି। ଏ ପଜିଟିଭ ରକ୍ତ ଆବଶ୍ୟକ ରହିଥିବା ବେଳେ ରକ୍ତ ଭଣ୍ଡାର ସହିତ ଯୋଗାଯୋଗ କରି ଗୁରୁବାରୀଙ୍କ ନିମନ୍ତେ ରକ୍ତ ଯୋଗାଡ଼ କରିଛନ୍ତି ବିଧାୟକ ପ୍ରତିନିଧି ବଦ୍ରି ନାରାୟଣ ଆଚାର୍ଯ୍ୟ। କିନ୍ତୁ ଦୁଃଖର ବିଷୟ ଯେ ଦୀର୍ଘ ବର୍ଷ ଧରି ଅନ୍ଧ ହୋଇଥିବା ଏହି ଜନଜାତି ସମ୍ପ୍ରଦାୟର ଅନାଥ ଝିଅ ବାରମ୍ବାର କୋରାପୁଟ ଏବଂ ଜୟପୁର ଡାକ୍ତରଙ୍କ ନିକଟକୁ ବିକଳାଙ୍ଗ ପ୍ରମାଣପତ୍ର ନିମନ୍ତେ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ତାଙ୍କୁ ପ୍ରମାଣପତ୍ର ଟିଏ ମିଳି ପାରୁନାହିଁ। ଡାକ୍ତର କହିବା ଅନୁଯାୟୀ ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଅନ୍ୟ ଆଖିଟି ଅଳ୍ପ ଦେଖା ଯାଉଥିବା ବେଳେ ତାଙ୍କୁ ବିକଳାଙ୍ଗ ପ୍ରମାଣ ପତ୍ର ମିଳିପାରିବ ନାହିଁ। ଦୁଇଟି ଆଖି ଖରାପ ହେଲେ ଯାଇ ବିକଳାଙ୍ଗ ବୋଲି ଯୋଗ୍ୟ ହେବେ। ଗତ ଦିନରେ କୁନ୍ଦୁରା ଏବଂ ଜୟପୁରଠାରେ ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଏଭଳି ଡାକ୍ତର କହିଥିବା ଗୁରୁବାରୀ କହିଛନ୍ତି। ଏହାର କିଛି ଦିନ ପରେ ଗୁରୁବାରୀଙ୍କ ଦେହରେ ଏତେ ଯନ୍ତ୍ରଣା ହେଲା ଯେ ସାହି ପଡୋଶୀ ଜାଣିପାରି ତାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ବୁଧବାର ଭର୍ତ୍ତି କରାଇଥିଲେ। ଏହା ଜାଣିବା ସଙ୍ଗେ ସଙ୍ଗେ କୁନ୍ଦୁରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପି ମନସ୍ମିତା ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଅନ୍ତୋଦୟ ଗୃହ ଯୋଜନାରେ ଗୁରୁବାରୀଙ୍କୁ ସାମିଲ କରି ଘରଟିଏ ଯୋଗାଇ ଦେବାକୁ ପ୍ରତଶ୍ରୁତି ଦେଇଛନ୍ତି। ସେହିଭଳି ଭାବେ ଗୁରୁବାରୀଙ୍କ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଏମ୍ସ ପଠାଇବାର ସମସ୍ତ ସୁବିଧା କରାଯିବ ବୋଲି ବିଧାୟକ ପ୍ରତିନିଧି ବଦ୍ରି ନାରାୟଣ ଆଚାର୍ଯ୍ୟ ଏବଂ ଏମପି ପ୍ରତିନିଧି ତୁଷାର ଭଟ୍ଟ କହିଛନ୍ତି। ଗତ ଦିନରେ ପଞ୍ଚାୟତ ସମିତିରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଏହି ଘଟଣାକୁ ନେଇ ସେ କିଭଳି ପେନସନ ଯୋଜନାରେ ସାମିଲ ହୋଇପାରିବ ତାକୁ ନେଇ ସହିଦ ଲକ୍ଷ୍ମଣ ନାୟକ ମୂଳ ଅଧିବାସୀ ସଙ୍ଘ ବରିଷ୍ଠ ଉପ ସଭାପତି ଚନ୍ଦ୍ର ସଗରିଆ, ବରିଷ୍ଠ ଖବରଦାତା ଅକ୍ଷୟ ପଟ୍ଟନାୟକ, ଧରିତ୍ରୀ ଖବରଦାତା ସନ୍ତୋଷ ପ୍ରହରାଜ କୁନ୍ଦୁରା ବିଡ଼ିଓଙ୍କ ସହ ଆଲୋଚନା କରିଥିଲେ।

 

Dharitri – The Largest & Most Trusted Odia Daily

\