ନୂଆଦିଲ୍ଲୀ,୨୧।୧୦: ଟିମ ଇଣ୍ଡିଆକୁ ଏସିଆ କପ୍ ୨୦୨୫ର ଟ୍ରଫି ହସ୍ତାନ୍ତର ନ କରିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ବିସିସିଆଇ ଏସୀୟ କ୍ରିକେଟ ପରିଷଦ(ଏସିସି) ଅଧ୍ୟକ୍ଷ ମୋହସିନ ନକଭିଙ୍କୁ ଏକ ଚିଠି ଲେଖି ଏହି ବିଷୟରେ ଚେତାବନୀ ଦେଇଛି। ବିସିସିଆଇ ତାର ଚିଠିରେ କହିଛି ଯେ ଯଦି ମୋହସିନ ନକଭି ଭାରତକୁ ଏସିଆ କପ ଟ୍ରଫି ହସ୍ତାନ୍ତର କରିବାରେ ବିଫଳ ହୁଅନ୍ତି, ତେବେ ତାଙ୍କୁ ପରିଣାମ ଭୋଗିବାକୁ ପଡିବ।
ଇଣ୍ଡିଆ ଟୁଡେ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ ଯଦି ମୋହସିନ ନକଭି ଟ୍ରଫି ପ୍ରସଙ୍ଗରେ ସକାରାତ୍ମକ ପ୍ରତିକ୍ରିୟା ପ୍ରଦାନ ନ କରନ୍ତି, ତେବେ ବିସିସିଆଇ ଷ୍ଟେପ୍ ବାଇ ଷ୍ଟେପ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
କହିରଖୁଛୁ, ସେପ୍ଟେମ୍ବର ୨୮ ତାରିଖରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ପାକିସ୍ତାନକୁ ପରାସ୍ତ କରି ଟିମ୍ ଇଣ୍ଡିଆ ଏସିଆ କପ ୨୦୨୫ ଜିତିଥିଲା। ଫାଇନାଲ୍ରେ ଭାରତ ପାକିସ୍ତାନକୁ ୫ ୱିକେଟ୍ରେ ପରାସ୍ତ କରିଥିଲା। ତଥାପି ମ୍ୟାଚ ପରେ ପ୍ରେଜେଣ୍ଟେଶନ ସମୟରେ, ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପିସିବି ଏବଂ ଏସିସି ଅଧ୍ୟକ୍ଷ ମୋହସିନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲେ। ଫଳସ୍ବରୂପ ମୋହସିନ ନକଭି ଏସିଆ କପ୍ ଟ୍ରଫି ନେଇ ସେଠାରୁ ଚାଲି ଯାଇଥିଲେ।
୨୦୨୫ ଏସିଆ କପ୍ ଫାଇନାଲ୍ରେ ଭାରତର ବିଜୟ ପାକିସ୍ତାନ ବିପକ୍ଷରେ ତୃତୀୟ ଥିଲା। ଏହା ପୂର୍ବରୁ ଟିମ ଇଣ୍ଡିଆ ସେପ୍ଟେମ୍ବର ୧୪ ତାରିଖରେ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ପ୍ରଥମ ଥର ପାଇଁ ପାକିସ୍ତାନକୁ ପରାସ୍ତ କରିଥିଲା। ସେହି ପ୍ରଥମ ମ୍ୟାଚ୍ ପରେ, ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିମାନଙ୍କ ସହିତ ହାତ ମିଳାଇବାକୁ ମନା କରିଦେଇଥିଲେ, ଯାହା ଏକ ବିବାଦ ସୃଷ୍ଟି କରିଥିଲା।
୨୦୨୫ ଏସିଆ କପ୍ରେ ଭାରତ ଏବଂ ପାକିସ୍ତାନ ଦ୍ୱିତୀୟ ଥର ପାଇଁ ସୁପର ଫୋର୍ ପର୍ଯ୍ୟାୟରେ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍ ନଭେମ୍ବର ୨୧ ତାରିଖରେ ଖେଳାଯାଇଥିଲା ଏବଂ ସେହି ମ୍ୟାଚ୍ରେ ମଧ୍ୟ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ସମସ୍ତ ତିନୋଟି ମ୍ୟାଚ ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ଖେଳାଯାଇଥିଲା।