ମୁମ୍ବାଇ,୨୩।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିରାଟ କୋହଲିଙ୍କ ସହ ତାଙ୍କ ଦିନିକିଆ ଭବିଷ୍ୟତ ନେଇ ଆଲୋଚନା କରିଥିଲେ, କିନ୍ତୁ କୋହଲିଙ୍କ ତରଫରୁ ‘ଯୋଗାଯୋଗର ଅଭାବ’ ଦେଖାଦେଇଛି ବୋଲି ରିପୋର୍ଟରୁ ଜଣାପଡିଛି। କୋହଲି ଟେଷ୍ଟ ଓ ଟି-୨୦ରୁ ଅବସର ନେଇଛନ୍ତି, କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ତାଙ୍କ ପ୍ରତ୍ୟାବର୍ତ୍ତନ ଆଶା କରାଯାଉଥିଲା।
ତେବେ, ଯୋଗାଯୋଗ ଅଭାବ ଯୋଗୁଁ ତାଙ୍କ ଦିନିକିଆ ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଛି। ବିସିସିଆଇ ରୋହିତ ଶର୍ମା ଓ କୋହଲିଙ୍କୁ ଅଷ୍ଟ୍ରେଲିଆ ଏ ବିପକ୍ଷ ଭାରତ ଏ ପାଇଁ ୫୦ ଓଭର ମ୍ୟାଚ ଖେଳିବାକୁ ଚାହୁଁଥିଲା, କିନ୍ତୁ ଦୁହେଁ ସ୍କ୍ଵାଡରେ ସାମିଲ ହୋଇନାହାନ୍ତି।
ଅନ୍ୟପକ୍ଷରେ, ଭାରତ ଏ ଓ ଅଷ୍ଟ୍ରେଲିଆ ଏ ମଧ୍ୟରେ ଦ୍ଵିତୀୟ ଚାରିଦିନିଆ ମ୍ୟାଚ ପୂର୍ବରୁ ଶ୍ରେୟସ ଆୟାର ଭାରତ ଏ ଅଧିନାୟକତ୍ବ ଛାଡ଼ିଥିଲେ। ଧ୍ରୁବ ଜୁରେଲଙ୍କୁ ନୂଆ ଅଧିନାୟକ କରାଯାଇଛି। ଆୟାରଙ୍କ ବ୍ୟକ୍ତିଗତ କାରଣରୁ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସେ ଦିନିକିଆରେ ମୁଖ୍ୟ ଖେଳାଳି ହୋଇଥିଲେ ମଧ୍ୟ, ଅନ୍ୟ ଦୁଇ ଫର୍ମାଟରେ ସ୍ଥାନ ପାଇବା ତାଙ୍କ ପାଇଁ କଠିନ ହେଉଛି।
ତେବେ ଭାରତର ପରବର୍ତ୍ତୀ ଟେଷ୍ଟ ସିରିଜ ଅକ୍ଟୋବର ୨ରୁ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଆରମ୍ଭ ହେବ, ଯାହାର ଦଳ ଶୀଘ୍ର ଘୋଷଣା ହେବାର ସମ୍ଭାବନା ରହିଛି।