ନୂଆଦିଲ୍ଲୀ,୭।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୧୯ ବର୍ଷରୁ କମ୍ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଭାରତ ୧୦୦ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହାକୁ ମିଶାଇ ଭାରତ ୬ଷ୍ଠ ଥରଲାଗି ଟାଇଟଲ ବିଜୟୀ ହୋଇଛି। ପୂର୍ବରୁ ଭାରତ ୨୦୦୦, ୨୦୦୮, ୨୦୧୨, ୨୦୧୮ ଓ ୨୦୨୨ରେ ଚାମ୍ପିୟନ ହୋଇଥିଲା। ବୈଭବଙ୍କ ବିସ୍ଫୋରକ ୧୭୫ ରନର ଇନିଂସ ସହାୟତାରେ ଭାରତ ୫୦ ଓଭରରେ ୯ ଉଇକେଟ ହରାଇ ୪୧୧ ରନ କରିଥିଲା। ଜବାବରେ ଇଂଲଣ୍ଡ କାଲେବ ଫାଲ୍କନରଙ୍କ ଶତକ ସତ୍ତ୍ୱେ ୪୦.୧ ଓଭରରେ ୩୧୧ ରନକରି ଅଲ୍ଆଉଟ ହୋଇଯାଇଥିଲା। ଏହି ମ୍ୟାଚରେ ବୈଭବ ଗୋଟିଏ ଇନିଂସରେ ବ୍ୟକ୍ତିଗତ ସର୍ବାଧିକ ସ୍କୋର, ସର୍ବାଧିକ ଛକା, ଦ୍ରୁତତମ ୧୫୦ ଆଦି ଅନେକ ରେକର୍ଡର ଅଧିକାରୀ ହୋଇଥିଲେ।
U-19 ବିଶ୍ବ ଚାମ୍ପିୟନ ଟିମ ପାଇଁ ପୁରସ୍କାର ଘୋଷଣା କରିଛି ବିସିସିଆଇ। ଭାରତୀୟ ଦଳକୁ ୭.୫ କୋଟି ଟଙ୍କାର ପୁରସ୍କାର ଦିଆଯିବ ବୋଲି କହିଛି ବିସିସିଆଇ। ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ଏହି ସୂଚନା ଦେଇଛନ୍ତି।
ରେକର୍ଡ ୪୧୨ ରନର ଟାର୍ଗେଟ ପାଇଥିବା ଇଂଲଣ୍ଡ କେବେହେଲେ ଭାରତ ସମକକ୍ଷ ପ୍ରଦର୍ଶନ କରିପାରି ନ ଥିଲା। ଟପ୍ ଅର୍ଡରରେ ବେନ୍ ଡକିନ୍ସ ୬୬, ବେନ୍ ମାୟେସ ୪୫ ଓ ଥୋମାସ ରିଉ ୩୧ ରନକରି ଯଦିଓ କିଛିଟା ଚ୍ୟାଲେଞ୍ଜ ଦେଇଥିଲେ ତେବେ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। ୧୭୭ ରନ ମଧ୍ୟରେ ଦଳ ୭ ଉଇକେଟ ହରାଇ ବଡ଼ ପରାଜୟ ମୁହାଁ ହୋଇଥିବାବେଳେ ୮ମ ଉଇକେଟରେ କାଲେବ ଫାଲ୍କନର ଓ ଜେମ୍ସ ମିଣ୍ଟୋ ୮୦ ବଲ୍ରୁ ୯୨ ରନର ଭାଗୀଦାରି ଗଢ଼ି କିଛିଟା ଚ୍ୟାଲେଞ୍ଜ ଦେଇଥିଲେ। ମାତ୍ର ଏହି ଯୋଡ଼ି ଭାଙ୍ଗିବା ସହ ଇଂଲଣ୍ଡ ପରାଜୟ ନିଶ୍ଚିତ ହୋଇଯାଇଥିଲା। ସାହସିକ ଶତକୀୟ ଇନିଂସ ଖେଳିଥିବା ଫାଲ୍କନର ଦଳ ପକ୍ଷରୁ ସର୍ବାଧିକ ୧୧୫ ରନ ସ୍କୋର କରିଥିଲେ। ସେ ୬୭ଟି ବଲ୍ର ସମ୍ମୁଖୀନ ହୋଇ ନିଜ ଇନିଂସ ମଧ୍ୟରେ ୯ ଚୌକା ଓ ୭ ଛକା ମାରିଥିଲେ। ଭାରତ ପକ୍ଷରୁ ଆର.ଏସ. ଆମ୍ବ୍ରିସ ୩ଟି, ଦୀପେଶ ଦେବେନ୍ଦ୍ରନ ଓ କନିଷ୍କ ଚୌହାନ ୨ଟି ଲେଖାଏ ଏବଂ ଖିଲାନ ପଟେଲ ଓ ଆୟୁଷ ମାହାତ୍ରେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ମାତ୍ର ୨୦ ରନରେ ଓପନର ଆରୋନ ଜର୍ଜ (୯)ଙ୍କ ଉଇକେଟ ହରାଇ ଯଦିଓ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ତେବେ ଦ୍ୱିତୀୟ ଉଇକେଟରେ ବୈଭବ ସୂର୍ଯ୍ୟବଂଶୀ ଓ ଅଧିନାୟକ ଆୟୁଷ ମାହାତ୍ରେଙ୍କ ଦ୍ରୁତ ଶତକୀୟ ଭାଗୀଦାରି ବଳରେ ବଡ଼ ସ୍କୋର ପାଇଁ ପ୍ଲାଟ୍ଫର୍ମ ପ୍ରସ୍ତୁତ କରିଥିଲା। ଦୁହେଁ ଦ୍ୱିତୀୟ ଉଇକେଟରେ ୯୦ ବଲ୍ରୁ ୧୪୨ ରନ ଯୋଗ କରିବାପରେ ଯୋଡ଼ି ଭାଙ୍ଗିଥିଲା। ମାହାତ୍ରେ ୫୧ ବଲ୍ରୁ ୫୩ ରନକରି ଆଉଟ ହୋଇଥିଲେ। ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ସାଜିଥିଲେ ବିସ୍ଫୋରକ ବୈଭବ। ସେ ମାତ୍ର ୮୦ ବଲ୍ରୁ ୧୫ ଚୌକା ଓ ୧୫ ଛକା ସହାୟତାରେ ୧୭୫ ରନ ସ୍କୋର କରି ଏକାଧିକ ରେକର୍ଡର ଅଧିକାରୀ ହୋଇଯାଇଥିଲେ। ମିଡିଲ ଅର୍ଡରରେ ବେଦାନ୍ତ ତ୍ରିବେଦୀ ୩୨, ଭିହାନ ମାଲହୋତ୍ରା ୩୦, ଅଭିଜ୍ଞାନ କୁଣ୍ଡୁ ୪୦ ଓ କନିଷ୍କ ଚୌହାନ ଅପରାଜିତ ୩୭ ରନ ସ୍କୋର କରିବାରୁ ଭାରତ ସ୍କୋର ୪୦୦ ଅତିକ୍ରମ କରିଯାଇଥିଲା। ୧୪ ବର୍ଷୀୟ ବୈଭବ ମାତ୍ର ୫୫ ବଲ୍ରୁ ଶତକ ପୂରଣ କରିଥିଲେ, ଯାହାକି ଦ୍ୱିତୀୟ ଶ୍ରେଷ୍ଠ। ଟୁର୍ନାମେଣ୍ଟ ଇତିହାସରେ ସର୍ବକନିଷ୍ଠ ଶତକ ହାସଲକାରୀ ରେକର୍ଡର ଅଧିକାରୀ ଥିବା ବୈଭବ ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପର ଫାଇନାଲରେ ସର୍ବାଧିକ ରନ ସ୍କୋର କରିବାରୁ ଭାରତୀୟ ସ୍କୋର ମଧ୍ୟ ସର୍ବୋଚ୍ଚ (୪୧୧) ହୋଇଯାଇଥିଲା। କେବଳ ବାଉଣ୍ଡରିରୁ ସେ ୧୫୦ ରନ ସଂଗ୍ରହ କରିଥିଲେ; ଯାହା କି ଏକ ରେକର୍ଡ। ସେ ମାତ୍ର ୭୧ ବଲ୍ରୁ ଦ୍ରୁତତମ ୧୫୦ ରନ ପୂରଣ କରିବାରେ ସକ୍ଷମ ହୋଇଥିଲେ। ଏହି ବିଶ୍ୱକପ୍ରେ ସୂର୍ଯ୍ୟବଂଶୀ ରେକର୍ଡ ୨୨ଟି ଛକା ମାରିଥିଲେ। ପୂର୍ବରୁ ଦକ୍ଷିଣ ଆଫ୍ରିକାର ଡଓ୍ବୋଲ୍ଡ ବ୍ରେଭିସ ୨୦୨୨ରେ ୧୮ ଛକା ସହ ରେକର୍ଡର ଅଧିକାରୀ ଥିଲେ। ଇଂଲଣ୍ଡ ବୋଲରଙ୍କ ମଧ୍ୟରେ ଜେମ୍ସ ମିଣ୍ଟୋ ୩ଟି, ସେବାଷ୍ଟିଆନ ମୋର୍ଗାନ ଓ ଆଲେକ୍ସ ଗ୍ରୀନ୍ ୨ଟି ଲେଖାଏ ଏବଂ ମାନି ଲୁମ୍ସଡେନ ଗୋଟିଏ ଉଇକେଟ ନେଇଥିଲେ।